ଶିମିଳିପାଳରୁ ୨ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ ଅଞ୍ଚଳରେ ଶନିବାର ରାତିରେ ବନବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଜଙ୍ଗଲ ଭିତରକୁ ଯାଉଥିବା ୨ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଧନୁ ଓ ତୀର ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ମହୁଲଡିହା ଥାନା ଅନ୍ତର୍ଗତ ଡଙ୍ଗାଡିହା ବଙ୍ଗଳାସାହିର ଗୋପାଳ ମାଝୀ ଓ ତାଙ୍କ ପୁଅ ଜିତରାୟ ମାଝୀ। ବନବିଭାଗ ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଜଙ୍ଗଲ ଭିତରକୁ ବନ୍ୟଜନ୍ତୁ ଶିକାର କରିବାକୁ ଶିକାରୀ ଯାଉଥିବା ଖବର କୌଣସି ସୂତ୍ରରୁ ପାଇ ଠାକୁରମୁଣ୍ଡା ଓ ସାତକୋଶିଆ ରେଞ୍ଜ କର୍ମଚାରୀଙ୍କ ସମେତ ମହୁଲଡ଼ିହା ଥାନା କର୍ମଚାରୀଙ୍କ ଏକ ମିଳିତ ଟିମ ଡଙ୍ଗାଡ଼ିହା ଗ୍ରାମ ନିକଟ ଶିମିଳିପାଳ କମ୍ପାର୍ଟମେଣ୍ଟ ନଂ.୧୭ ଠାରେ ଜଗି ରହି ଦୁଇ ଶିକାରୀଙ୍କୁ କାବୁ କରିଥିଲେ।