ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଆକ୍ରମଣ କଲା ବବ୍‌ଲୁ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୫।୧୨- ମୟୂରଭଞ୍ଜ ଜିଲା ସ୍ଥିତ ଶିମିଳିପାଳ ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କେବେ ଘଟିଛି ତାହା ଜଣା ପଡ ନ ଥିବା ବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଯୋଗାଯୋଗରେ ଆସୁ ନ ଥିବାରୁ କିଛି ତଥ୍ୟ ମିଳିପାରିନାହିଁ।

ସୂଚନା ମୁତାବକ, ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଲୁଲୁଙ୍ଗକୁ ପ୍ରତିଦିନ ପର୍ଯ୍ୟଟକମାନେ ବୁଲିବାକୁ ଯାଇଥାନ୍ତି। ଭାଇରାଲ ଭିଡିଓରେ ପୋଷା ହାତୀ ବବ୍‌ଲୁ ଏଠାକୁ ଆସିଥିବା ପର୍ଯ୍ୟଟକଙ୍କୁ ଗୋଡାଉଥିବା ଦେଖିବାକୁ ମିଳିଛି। ଲୋକେ ପ୍ରାଣ ବିକଳରେ ଦୌଡୁଛନ୍ତି। ଏପରିକି ମାହୁନ୍ତଙ୍କ କଥା ମଧ୍ୟ ବବ୍‌ଲୁ ଶୁଣୁ ନ ଥିଲା । ତେବେ ବବଲୁର ଗୋଡ଼ ଲୁହା ଶିକୁଳି ବନ୍ଧା ହୋଇ ଥିବାରୁ ସେ ଠିକ ଭାବେ ଦୌଡ଼ି ପାରି ନ ଥିବା ଦେଖିବାକୁ ମିଳିଛି। ଫଳରେ ବଡ ଧରଣର ଅଘଟଣ ଘଟି ନ ଥିବା କୁହାଯାଉଛି।

Share