ଶିଳପୁଆରେ ମାଡ଼ମାରି ମା’ଙ୍କୁ ହତ୍ୟା: ଅଭିଯୁକ୍ତ ପୁଅ ଗିରଫ

ବରଗଡ଼ ଅଫିସ,୨୩।୭: ନିଜର ମା’ଙ୍କୁ ହତ୍ୟାକରି ପୁଅ ଗିରଫ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଧାଙ୍ଗେର ଗ୍ରାମରେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସୌରୀ ମହାପାତ୍ର ଓରଫ୍‌ ସୁରୁଙ୍କୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏ ନେଇ ବରଗଡ଼ ସଦର ଥାନାରେ ଏକ ମାମଲା(୧୧୬/୧୯) ରୁଜୁ ହୋଇଛି। ପ୍ରକାଶ ଯେ, ରବିବାର ରାତିରେ ଅଭିଯୁକ୍ତ ସୁରୁ ଘରକୁ ଆସିଥିଲେ। କୌଣସି କଥାକୁ ନେଇ ଏହି ସମୟରେ ମା’ ଯାଜ୍ଞସେନୀ ମହାପାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସୁରୁ ଯାଜ୍ଞସେନୀଙ୍କୁ ଶିଳପୁଆରେ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭିମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବୁର୍ଲା ନେବା ବାଟରେ ଯାଜ୍ଞସେନୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହିତ ସୋମବାର ଜିଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ସୁରୁ ସମ୍ପୃକ୍ତ ଥିବା ଜାଣିବା ପରେ ପୋଲିସ ତାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଥିଲା। ସେ ହତ୍ୟାକାଣ୍ଡ ଭିଆଇଥିବା ସ୍ବୀକାର କରିବା ପରେ ତାଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ କ୍ଷୀରସାଗର ନାଏକ ସୂଚନା ଦେଇଛନ୍ତି ।

Share