Categories: ଗଞ୍ଜାମ

ଶିଳାନ୍ୟାସରେ ଅଟକିଛି ଯାତ୍ରୀ ବିଶ୍ରାମାଗାର :ସମ୍ପୂର୍ଣ୍ଣ ହୋଇପାରୁନି ମୁଖ୍ୟ ଡ୍ରେନର ପୁନରୁଦ୍ଧାର

ଗଞ୍ଜାମ,୨୪୮(ଡି.ଏନ.ଏ.)-୧୨ ୱାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସିରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଜନସାଧାରଣ। ଏଠାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ । କଲ୍ୟାଣ ମଣ୍ଡପ ନାହିଁ, ବହୁ ପ୍ରକଳ୍ପ କାର୍ଯ୍ୟ ଦୀର୍ଘଦିନ ହେଲା ଅଧାପନ୍ତରିଆ ଭାବେ ପଡ଼ି ରହିଛି । ସହରରେ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କାଗଜ କଲମରେ ସୀମିତ ରହିଛି । ଏହା ନିର୍ମାଣ ନିମନ୍ତେ ୨୦୧୫ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଆଉ ଏକ ସପ୍ତାହ ପରେ ଭିତ୍ତିପ୍ରସ୍ତରକୁ ୪ ବର୍ଷ ବିତିବ। କିନ୍ତୁ ଏଯାବତ୍‌ ଭିତ୍ତିପ୍ରସ୍ତର ସ୍ଥାନରେ ଗୋଡିଟିଏ ମଧ୍ୟ ପଡ଼ିନି । ଏହାର ନିର୍ମାଣ ପାଇଁ ପଛୁଆ ଅଞ୍ଚଳ ବିକାଶ ପାଣ୍ଠିରୁ ବ୍ୟୟବରାଦ ହୋଇ ଟେଣ୍ଡର ସରିଛି ।
ସେହିପରି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି। ସହରରେ ଭେଣ୍ଡିଂଜୋନ ପାଇଁ ଗଞ୍ଜାମ ବଡ଼ବଜାର ବ୍ୟବସାୟ ସଂଘ ପ୍ରଶାସନ ଠାରେ ବାରମ୍ବାର ଦାବି କରିବା ପରେ ବ୍ୟବସାୟ ସଂଘ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କେବେ ଭେଣ୍ଡିଂଜୋନ ନିର୍ମାଣ ହେବ ସନ୍ଦେହରେ ସହରବାସୀ। ଅନ୍ୟପଟେ ପ୍ରଶାସନର ରୋଡ ସମ୍ପ୍ରସାରଣର ଆଳ ଦେଖାଇ ଦୋକାନଗୁଡ଼ିକ ଉଚ୍ଛେଦ ପାଇଁ ସଂକେତ ଦେଇସାରିଥିବାରୁ ବ୍ୟବସାୟୀମାନଙ୍କ ଚିନ୍ତା ବଢ଼ିଯାଇଛି। ବ୍ୟବସାୟୀମାନଙ୍କୁ ପ୍ରଶାସନ ଥଇଥାନ ବ୍ୟବସ୍ଥା ନ କଲେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଶୁଣିବାକୁ ମିଳିଛି । ସହରର ଆଉ ଗୋଟିଏ ମୁଖ୍ୟ ସମସ୍ୟା ବର୍ଷା ହେଲେ ଜଳ ଠିକ୍‌ ଭାବେ ନିଷ୍କାସିତ ହୋଇପାରୁନି । ୨୦୦୯ରୁ ଆରମ୍ଭ ହୋଇଥିବା ମୁଖ୍ୟଡ୍ରେନର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନାଁ ଧରୁନି । ଜିଲା ପ୍ରଶାସନ ଏହି ସହର ପ୍ରତି ଦୃଷ୍ଟି ଦେଉନଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।