Categories: ବାଣିଜ୍ୟ

ଶିଳ୍ପ କ୍ଷେତ୍ର ଉତ୍ପାଦନ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୧୩-୧୨: ମାନ୍ଦାବସ୍ଥା ଦେଶର ଅର୍ଥ ବ୍ୟବସ୍ଥାକୁ ଏବେ ମଧ୍ୟ ଜାବୁଡି ଧରିଛି। ଏହାର ପ୍ରଭାବରେ ଲଗାତର ତୃତୀୟ ମାସ ଲାଗି ଦେଶର ଉଦ୍ୟୋଗଗୁଡିକର ଉତ୍ପାଦନ ଖସିଛି। ଚଳିତ ବର୍ଷ ଅକ୍ଟୋବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ୩.୮% କମିଛି। ମାନୁଫାକଚରିଂ, ଖଣି, ବିଦ୍ୟୁତ ଶକ୍ତି ଭଳି କ୍ଷେତ୍ରରେ ଉତ୍ପାଦନ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଗୁରୁବାର ପ୍ରକାଶିତ ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ତଥ୍ୟ ମୁତାବକ ସେପ୍ଟେମ୍ବରରେ ଦେଶର ଫ୍ୟାକ୍ଟ୍ରିଗୁଡିକରୁ ଉତ୍ପାଦନ ୪.୩% ହ୍ରାସ ହୋଇଛି। ସେହିଭଳି ଅଗଷ୍ଟରେ ଏଥିରେ ୧.୪% ହ୍ରାସ ହୋଇଥିଲା। ଅପରପକ୍ଷରେ ଏହା ଜୁଲାଇରେ ୪.୯% ବୃଦ୍ଧି ହୋଇଥିଲା। ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନକୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି)ରେ ଆକଳନ କରାଯାଉଥିବା ବେଳେ ଏହା ୨୦୧୮ ଅକ୍ଟୋବରରେ ୮.୪% ବଢିଥିଲା।
ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ସମୟ ମଧ୍ୟରେ ଆଇଆଇପି ଅଭିବୃଦ୍ଧି ୦.୫% ରହିଛି। ଯାହା ଆଖି ଦୃଶିଆ ନୁହେଁ। ଗତବର୍ଷ ଏହି ସମୟରେ ଆଇଆଇପି ୫.୭% ଥିଲା। ଅକ୍ଟୋବରରେ ଦେଶର ମାନୁଫାକଚରିଂ ଅଭିବୃଦ୍ଧି ୨.୧% କମିଛି। ଏହା ଗତବର୍ଷ ସମାନ ସମୟରେ ୮.୨% ବଢିଥିଲା। ଚଳିତ ବର୍ଷ ଅକ୍ଟୋବରରେ ଶକ୍ତି କ୍ଷେତ୍ରରେ ଉତ୍ପାଦନ ୧୨.୨% ହ୍ରାସ ହୋଇଛି। ଯାହା ଗତ ବର୍ଷ ୧୦.୮% ରହିଥିଲା। ଖଣି କ୍ଷେତ୍ର ଉତ୍ପାଦନ ୮% ଖସିଯାଇଛି। ଏହା ଗତ ବର୍ଷ ୭.୩% ଥିଲା। ଏହାବାଦ କ୍ୟାପିଟାଲ ଗୁଡ୍‌ସ ଉତ୍ପାଦନ ୨୧.୯% କମିଛି। ଯାହା ଗତବର୍ଷ ସମାନ ସମୟରେ ୧୬.୯% ବଢିଥିଲା। ଏହାବାଦ ପ୍ରାଥମିକ ସାମଗ୍ରୀ ଅଭିବୃଦ୍ଧି (-)୬%, ମାଧ୍ୟମିକ ସାମଗ୍ରୀ ଅଭିବୃଦ୍ଧି ୨୨.୨% ଏବଂ ଭିତ୍ତିଭୂମି ନିର୍ମାଣ ସାମଗ୍ରୀ ଅଭିବୃଦ୍ଧି (-) ୯.୨% ରହିଛି। କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ କଞ୍ଜ୍ୟୁମର ନନ୍‌ ଡ୍ୟୁରେବଲ୍ସ କ୍ଷେତ୍ରରେ ଏହା ଯଥାକ୍ରମେ (-) ୧୮% ଏବଂ (-) ୧.୧% ରହିଛି। ମାନୁଫାକଚରିଂର ମୋଟ ୨୩ ଶିଳ୍ପଗ୍ରୁପ ମଧ୍ୟରୁ ୧୮ଟିର କାର୍ଯ୍ୟକଳାପ ନକାରାତ୍ମକ ରହିଛି।
କମ୍ପ୍ୟୁଟର, ଇଲେକଟ୍ରୋନିକ୍ସ ଏବଂ ଅପ୍ଟିକାଲ ପ୍ରଡକ୍ଟ ମାନୁଫାକଚରିଂ ସର୍ବାଧିକ ନକାରାତ୍ମକ ଅଭିବୃଦ୍ଧି (-)୩୧.୩% ସ୍ତରରେ ରହିଛି। ଏହାବାଦ ମୋଟର ଭେଇକିଲ, ଟ୍ରେଲର, ସେମିଟ୍ରେଲର ମାନୁଫାକଚରିଂ କ୍ଷେତ୍ର ଏହା ପରେ ନିମ୍ନରେ ରହିଛି। ଏହି କ୍ଷେତ୍ରରେ ନକାରାତ୍ମକ ଅଭିବୃଦ୍ଧି (-) ୨୭.୯% ରହିଛି। ଏହି ସମୟ ମଧ୍ୟରେ କେମିକାଲ ପ୍ରଡକ୍ଟ କ୍ଷେତ୍ରରେ ସର୍ବାଧିକ ୩୧.୮% ଅଭିବୃଦ୍ଧି ହୋଇଛି। ସେହିଭଳି ବେସିକ୍‌ ମେଟାଲ କ୍ଷେତ୍ରରେ ଅଭିବୃଦ୍ଧି ୯.୪% ରହିଛି।

Share