ଶିଳ୍ପ ପାଇଁ ଜମି ନେଇ ସ୍କୁଲ, କଲେଜ ହୋଇଛି , ଏହାର ଯାଞ୍ଚ କରାଯାଉ: ସୁରେଶ ରାଉତରାୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ଖୋର୍ଦ୍ଧା ଜିଲାରେ ରାଜ୍ୟସ୍ତରୀୟ ସିଙ୍ଗିଲ ଓ୍ବିଣ୍ଡୋ କମିଟି କର୍ତ୍ତୃପକ୍ଷଙ୍କ ଅନୁମୋଦିତ ଦ୍ୱାରା ୯ଟି ବୃହତ୍‌ ଶିଳ୍ପ ସ୍ଥାପିତ ହୋଇଛି। ସେଗୁଡିକ ହେଲା ହିନ୍ଦୁସ୍ଥାନ ଅର୍ବାନ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌, ଏସ୍‌ଏମ୍‌ଏସ୍‌ ଇଣ୍ଡିଆ, ଇନ୍‌ଣ୍ଡୋ ମେଶିଫ୍‌ ଫୁଡ୍‌ସ୍‌, ଅନ୍‌ମୋଲ ବିସ୍କୁଟ୍‌ସ୍‌, ପାର୍ଲେ ଆଗ୍ରୋ, ସାହି ଏକ୍ସପର୍ଟ, ପାଣ୍ଟାଲୁନ୍‌ ଫେଶନ, ଇନ୍‌ଣ୍ଡୋ ମେଶିନ୍‌ ଫୁଡ୍‌ସ୍‌। ଏହି ୯ଟି ଶିଳ୍ପ ପାଇଁ ୧୦୬୯. ୫୯କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ବେଳେ ୭୧୪୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଶୁକ୍ରବାର ପ୍ରଶ୍ନୋତ୍ତରବେଳେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ଜାନକୀ ବାବୁଙ୍କ ସମୟରେ ହଜାରେ ଦିନରେ ହଜାରେ ଶିଳ୍ପ କରାଯାଇଥିଲା। ଖୋର୍ଦ୍ଧାଠାରୁ ଆରମ୍ଭକରି ମଞ୍ଚେଶ୍ୱର, ରସୁଲଗଡ଼, ଜଗତ୍‌ପୁର, ବାଲେଶ୍ୱର ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଶିଳ୍ପ ସ୍ଥାପନ ହୋଇଥିଲା। ଖୋର୍ଦ୍ଧା ଜିଲାରେ ଇଡ୍‌କୋଠାରୁ ଜମି ନେଇ ଶିଳ୍ପ କରିବା ବଦଳରେ କଲେଜ ସ୍କୁଲ ଖୋଲିଛି। ଏହାର ଅନୁସନ୍ଧାନ କରାଯାଉ। ଯେଉଁ ଜମି ଦିଆଯାଇଥିଲା ସେଥିରେ ଶିଳ୍ପ ହୋଇଛି କି ନାହିଁ। ସେ ବିଷୟରେ ଯାଞ୍ଚ କରାଯାଉ ବୋଲି ସେ କହିଥିଲେ। ମନ୍ତ୍ରୀ କହିଥିଲେ, କେବଳ ଶିକ୍ଷାାନୁଷ୍ଠାନ ନୁହେଁ ଖୋର୍ଦ୍ଧା ଜିଲାରେ ବହୁ ବଡ଼ ବଡ଼ ଶିଳ୍ପ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆହୁରି ବଡ଼ ବଡ଼ ଶିଳ୍ପ ସ୍ଥାପନ ହେବ ବୋଲି କହିଥିଲେ।

Share