Categories: ମେଟ୍ରୋ

ଶିଳ୍ପ ବର୍ଜ୍ୟରେ କଂକ୍ରିଟ୍‌ ରାସ୍ତା

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ବିନା ସିମେଣ୍ଟରେ ସମ୍ଭବ ହୋଇଛି କଂକ୍ରିଟ୍‌ ରାସ୍ତା। କେବଳ ଶିଳ୍ପ ବର୍ଜ୍ୟ ବ୍ୟବହାର କରି ଏହି ପ୍ରଦୂଷଣମୁକ୍ତ ରାସ୍ତା ନିର୍ମାଣ କରାଯାଇଛି। କଟକ ଜିଲା ଅମନପଡ଼ା ଗ୍ରାମ୍ୟରେ ପାଇଲଟ ପ୍ରଳକ୍ପ ଭାବେ ତିଆରି ହୋଇଥିବା ଏହି ରାସ୍ତାକୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ବୈଷୟିକ ଜ୍ଞାନ ସହଯୋଗରେ କରାଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବାହାର କରିଛନ୍ତି। ପ୍ରଥମଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଜୁନ୍‌ ପ୍ରଥମ ସପ୍ତାହରେ ଅମନପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି ଟେକ୍ନୋଲୋଜିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି। ନିର୍ମାଣ କ୍ଷେତ୍ରରେ ଏହି ଟେକ୍ନୋଲୋଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କିଟ୍‌ର ଗବେଷକମାନେ ଦାବି କରିଛନ୍ତି।
ଗବେଷକଙ୍କ ମତରେ, ସିମେଣ୍ଟରେ ରାସ୍ତା ତିଆରି ବେଳେ ବ୍ୟାପକ ବାୟୁ ପ୍ରଦୂଷଣ ହୋଇଥାଏ। ଏଥିସହ ଅଧିକରୁ ଅଧିକ ପରିମାଣର ଚୂନ ପଥର ବ୍ୟବହାର ହୋଇଥାଏ। ଆସନ୍ତା ୨୦-୨୫ ବର୍ଷ ମଧ୍ୟରେ ଚୂନ ପଥରର ଘୋର ଅଭାବ ଦେଖାଦେବ। ଏହାକୁ ଦୃଷ୍ଟିରେ ରଖି ତାପଜ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁ ଫ୍ଲାଏ ଆଶ୍‌କୁ କିପରି ସିମେଣ୍ଟର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ସେ ନେଇ ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା କରିଆସୁଥିଲେ। ସିମେଣ୍ଟର ବିକଳ୍ପ ଭାବେ ‘ଜିଓ ପଲିମର କଂକ୍ରିଟ୍‌’କୁ ନିର୍ମାଣରେ ବ୍ୟବହାର କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଛି। ଏହି ସଫଳତା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗବେଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share