‘ଶିଳ୍ପ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାର ନିୟମିତ ଯାଞ୍ଚ ହେଉ’: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୧୯।୧୧-ରାଜ୍ୟର ଶିଳ୍ପସଂସ୍ଥାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇ ଚାଲିଛି। ଏହାର ପ୍ରତିରୋଧ କରିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଅବହେଳାରୁ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ଭଳି ଘଟଣା ଘଟୁଛି। ଶିଳ୍ପସଂସ୍ଥାଗୁଡିକରେ ସୁରକ୍ଷା ବ୍ୟବସ୍ଥାର ନିୟମିତ ଓ ବାଧ୍ୟତାମୂଳକ ଯାଞ୍ଚ କରିବାକୁ ଚିଠିରେ ଦାବି କରାଯାଇଛି।
ଗତ ୧୩ତାରିଖ ରାତିରେ ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲକନ କମ୍ପାନୀର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏଥିରେ ଶହେରୁ ଊର୍ଦ୍ଧ୍ୱ ମହିଳା କର୍ମଚାରୀ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବାନାର୍ଜୀ ପ୍ରସାଦ ମୁଖାର୍ଜୀଙ୍କ ଉଦ୍ୟମ ଯୋଗୁ ସମସ୍ତ ଆହତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କିଛିବର୍ଷ ପୂର୍ବରୁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍‌ପିଟାଲରେ ଅସାବଧାନତା କାରଣରୁ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧନଜୀବନ କ୍ଷତି ହୋଇଥିଲା। ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟର ସମସ୍ତ ଶିଳ୍ପାନୁଷ୍ଠାନରେ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରାଯିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି।

Share