Advertisement

ଶିଶୁଙ୍କୁ ମୋବାଇଲ୍‌ରେ ଗୀତ ଶୁଣାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଛୋଟ ପିଲାଙ୍କ ପାଇଁ କୋଳାହଳପୂର୍ଣ୍ଣ ପରିବେଶ ଅତ୍ୟନ୍ତ ବିପଜ୍ଜନକ। କୌଣସି କାରଣରୁ ପିଲା ଅଝଟ କଲେ ପରିବାର ଲୋକେ ମୋବାଇଲ୍‌ରେ ଗୀତ ଶୁଣାଇଦିଅନ୍ତି ନଚେତ୍‌ ଟିଭି ଦେଖାନ୍ତି। ଏହାଦ୍ୱାରା ସୃଷ୍ଟ ତୀବ୍ର ଶବ୍ଦ ପିଲାର ମାନସିକ ବିକାଶ ଦିଗରେ ବାଧା ଉପତ୍ନ୍ନ କରିଥାଏ। ଏମିତି ଅନେକଥର ହୋଇଥାଏ, ଯେତେବେଳେ ଆପଣ କାମ କଲାବେଳେ ପିଲା ହଇରାଣ କରେ, ତା’ ମନ ଭୁଲାଇବାକୁ ଆପଣ ତାକୁ ମୋବାଇଲ୍‌ରେ ଗୀତ ଶୁଣାନ୍ତି କିମ୍ବା ଟିଭି ଲଗାଇ ଦିଅନ୍ତି। ଏହାଦ୍ୱାରା ପିଲାର ମନ ପରିର୍ତ୍ତନ ହୋଇଯାଏ, ସେ ଆଉ ଅଝଟ କରେ ନାହଁି। କିନ୍ତୁ ଏହି ଉପାୟ ଯେ ସେମାନଙ୍କ ବିକାଶକୁ ପ୍ରଭାବିତ କରିଥାଏ ହୁଏତ, ଏକଥା ଜାଣି ନ ଥିବେ। ଯଦି ପିଲା ଧୀରେ ଧୀରେ ଗୀତ ଶୁଣିବା ବା ହେଡଫୋନ୍‌ର ଅଭ୍ୟାସରେ ପଡୁଥାଏ, ତେବେ ସତର୍କ ହୋଇଯାନ୍ତୁ। ଏହି କୋଳାହଳ ପିଲା ମସ୍ତିଷ୍କ ବିକାଶରେ ସମ୍ଯଯା ସୃଷ୍ଟିକରେ। ଟିଭି ଶବ୍ଦ, ମୋବାଇଲ୍‌ ଫୋନ୍‌ ଶବ୍ଦ, ରେଡିଓ ବା ୱାଶିଙ୍ଗ୍‌ ମେସିନ୍‌ କିମ୍ବା ଘରେ କୋଳାହଳ ପରିବେଶ ଦୀର୍ଘସମୟ ଧରି ଚାଲିଲେ ଏହା ପିଲାର ମାନସିକ ବିକାଶରେ ହାନି ପହଞ୍ଚାଇଥାଏ। ଯଦିଓ ପିଲାଦିନେ ଏହା କୌଣସି ସମସ୍ୟା ସୃଷ୍ଟି କରେ ନାହଁି, ତଥାପି ଭବିଷ୍ୟତରେ ବିଭିନ୍ନ ପ୍ରକାର ରୋଗ ହେବା ସାଙ୍ଗକୁ ସ୍ମରଣ ଶକ୍ତି ଏବଂ କିଛି ନୂଆ କଥା ଶିଖିବା ପ୍ରଣାଳୀ ଉପରେ ପ୍ରଭାବ ପଡ଼େ। ଦିନକୁ ଅତି କମ୍‌ରେ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ କୋଳାହଳ ପରିବେଶରେ ଶିଶୁ ରହିଲେ, ମସ୍ତିଷ୍କରେ ରକ୍ତ ପ୍ରବାହ ଦିଗରେ ବାଧା ଉପୁଜିଥାଏ। ଏହାଦ୍ୱାରା ମଧୁମେହ, ଉଚ୍ଚରକ୍ତଚାପ ଏବଂ ଶୀଘ୍ର ବୃଦ୍ଧାବସ୍ଥା ଆସିବା ଭଳି ସମସ୍ୟା ସୃଷ୍ଟିହୁଏ। କେବଳ ସେତିକି ନୁହେଁ, କୋଳାହଳମୟ ପରିବେଶରେ ପିଲା ଯେତେବେଳେ ପଢ଼ିବା ଆରମ୍ଭ କରେ, ତାହା ସ୍ମରଣ ଶକ୍ତି ଉପରେ ନକାରାମତ୍କ ପ୍ରଭାବ ପକାଏ। ଯଦି ପିଲାଦିନେ ସ୍ମରଣ ଶକ୍ତି ଦୁର୍ବଳ ରହେ, ତେବେ ଯୁବାବସ୍ଥାରେ ଏହା ସ୍ବଭାବରେ ପରିବର୍ତ୍ତନ ଆଣିଥାଏ। ନିଃସନ୍ଦେହରେ କୁହାଯାଇପାରେ, ଏହା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଦୌ ଶ୍ରେୟସ୍କର ନୁହେଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel