ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ରୂପ୍‌ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ମଙ୍ଗଳବାର ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଗ୍ରାମର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାଞ୍ଚ ଓ ମଦର୍ସ କମିଟି ତରଫରୁ ଦୁର୍ଗାବତୀ ମିଶ୍ର, ସସ୍ମିତା ଦାସ, ସଙ୍ଗୀତା ଗିରି, ରୀତା ଦାସ, ତରୁଣ କୁମାର ଦାସ, ବିଶ୍ୱରଞ୍ଜନ ଦାସ ଓ ସତ୍ୟବତୀ ଗିରି ପ୍ରମୁଖ ଜଳଖିଆ ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ଓ କେନ୍ଦ୍ରର ସହାୟିକାଙ୍କ ବହିଷ୍କାର ଦାବି କରିଛନ୍ତି। ଅପରପକ୍ଷରେ ମଙ୍ଗଳବାର ଶିଶୁଙ୍କ ଜଳଖିଆ ଓ ମଧ୍ୟାହ୍ନଭୋଜନ ଦିଆଯାଇ ନ ଥିବାରୁ କର୍ମୀଙ୍କୁ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ମାତୃଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ଏହି କେନ୍ଦ୍ରରେ ଶିଶୁଙ୍କୁ ଜଳଖିଆ ଦେବା ଦାୟିତ୍ୱ ନେଇଛି। ଗୋଷ୍ଠୀର ସଭାନେତ୍ରୀ ମୌସୁମୀ ମଲିକ ଗତ ୭ ତାରିଖରେ ଶିଶୁଙ୍କୁ ମୁଢ଼ିମୁହାଁ ଜଳଖିଆ ଦେଇଥିଲେ। ଏହି ଜଳଖିଆକୁ ଜଣେ ଗ୍ରାମବାସୀ ନେଇ ସେଥିରୁ ପୋକ ସାଲୁବାଲୁ ହେଉଥିବା ଦେଖିଥିଲେ। ଅପରପକ୍ଷରେ ଅଜାଣତରେ ଏହି ମୁଢ଼ିମୁହାଁ ଖାଇ ୨ରୁ ୩ଜଣ ଶିଶୁ ବାନ୍ତି କରିବାରୁ ସେମାନଙ୍କୁ ଘରୋଇ ଡାକ୍ତରଙ୍କ ଚିକିତ୍ସା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ନିମ୍ନମାନର ଜଳଖିଆ ଦିଆଯାଉଥିବା ପ୍ରତିବାଦରେ ଗ୍ରାମର ମହିଳା, ପୁରୁଷ କେନ୍ଦ୍ରରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଅଙ୍ଗନୱାଡ଼ି କର୍ମୀ ଜଳଖିଆର ମାନ ତଦାରଖ ନ କରି ଶିଶୁଙ୍କୁ କାହଁିକି ଖାଇବାକୁ ଦେଲେ ବୋଲି ଗ୍ରାମବାସୀ ପଚାରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଡ଼ିଓ, ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ହେଲେ ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷେ ମଙ୍ଗଳବାର ଶିଶୁଙ୍କ ଜଳଖିଆ ଓ ମଧ୍ୟାହ୍ନଭୋଜନ ଦିଆ ନ ଯିବାରୁ କର୍ମୀଙ୍କୁ ଗ୍ରାମବାସୀ ଘେରାଉ କରିଥିଲେ। ତୁରନ୍ତ ଗାଁରେ ବୈଠକ ଡକାଯାଇ ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଲିଥିବା ମନମୁଖୀ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ରାଧାମରି ଦାସ, ମନୋରମା ଦାସ, ଜୁଲି ଦାସ, ତାରାମଣୀ ଦାସ ଓ ପାର୍ବତୀ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।