ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୦ା୧୧ :  ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ମଣ୍ଡଳ ଶିକ୍ଷାଧିକାରୀ ମମତା ମିଶ୍ର, ଉପଦେଷ୍ଟା ଶିକ୍ଷାବିତ୍‌ ରଘୁନାଥ ମହାପାତ୍ର, ସାମାଜିକ କର୍ମୀ ଚକ୍ରଧର ମହାପାତ୍ର, ଖବରଦାତା ଜଗନ୍ନାଥ ବସ୍ତିଆ, ପ୍ରଧାନ ଶିକ୍ଷକ ସୁଶିଳ କୁମାର ବ୍ରହ୍ମା, ଶିକ୍ଷାବିତ୍‌ ଶିବସୁନ୍ଦର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁଙ୍କ ସାମଗ୍ରିକ ବିକାଶରେ ମାତା ପିତା ଓ ଶିକ୍ଷକଙ୍କ ପ୍ରମୁଖ ଭୂମିକା ରହିଛି। ଶିଶୁଙ୍କ ସୁରକ୍ଷା, ବିକାଶ ଲାଗି ଶିଶୁ ଅଧିକାର, ଶିଶୁ ଶିକ୍ଷା ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସେମାନଙ୍କ ବିକାଶରେ କୌଣସି ପ୍ରଭାବ ପଡୁନାହିଁ। ଶିଶୁ ଆଜି ବି ବିଭିନ୍ନ ସ୍ଥାନରେ ଅବହେଳିତ ହେବା ସହ ଶିକ୍ଷା, ସ୍ବଚ୍ଛ ପରିବେଶରୁ ବଞ୍ଚତ୍ତ ହେଉଛନ୍ତି। ସରକାରୀ କାର୍ଯ୍ୟରେ ଶିକ୍ଷକଙ୍କ ନିୟୋଜନ ତଥା ରଥଯାତ୍ରାରେ ଦୁଇ ସପ୍ତାହ ବ୍ୟାପୀ ପୁରୀ ସହରସ୍ଥ କେତେକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଉଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହାଦ୍ୱାରା ଶିଶୁ ଅଧିକାର କ୍ଷୂର୍ଣ୍ଣ ହେଉଛି। ଶିଶୁ ଅଧିକାରକୁ କାର୍ଯ୍ୟକାରୀ ଦିଗରେ ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଛି ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share