ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍ ନିଶା କାରବାର ବେଶ୍ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍ ବୋତଲ ପଡ଼ୁଥିବା ଦେଖିବାକୁ ମିଳୁଛି। ଶସ୍ତା ହେଉଥିବାରୁ ବିଶେଷକରି ଯୁବ ପିଢ଼ି ଏହି ନିଶା ଜାଲରେ ପଡ଼ୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏ ନେଇ ଅନୁଗୋଳ ପୋଲିସ ନିକଟରେ କୌଣସି ସୂଚନା ନ ଥିବାରୁ ପାର୍କକୁ ଯାଉଥିବା ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଅନୁଗୋଳ ସହର ଅମଲାପଡ଼ାରେ ଥିବା ଶିଶୁ ଉଦ୍ୟାନ ଏବେ ଏପରି ନିଶାଡ଼ିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ସକାଳୁ ଏହି ପାର୍କକୁ ଯାଉଥିବା ଲୋକମାନେ ଏତେତେଣେ ସିରପ୍ ବୋତଲ ପଡ଼ିଥିବା ଦେଖିବାକୁ ପାଉଛନ୍ତି। କିନ୍ତୁ କାହା ପାଖରେ ଅଭିଯୋଗ କରିବେ ତାହା ସେମାନେ ଜାଣିପାରୁନାହାନ୍ତି। କେବଳ ଏହି ଗୋଟିଏ ପାର୍କ ନୁହେଁ ସହରରେ ଥିବା ଅନ୍ୟ ପାର୍କଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। ହେଲେ ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ନିକଟରେ ସୂଚନା ନ ଥିବାବେଳେ ପୋଲିସ ମଧ୍ୟ ବେଫିକର। ସେହିପରି ଅମଲାପଡ଼ା ଦୁର୍ଗାମନ୍ଦିର ନିକଟରେ ଥିବା ଶିଶୁ ଉଦ୍ୟାନରୁ ଏପରି ସିରପ୍ ବୋତଲ ପୁଳା ପୁଳା ବାହାରୁ ଥିବା ଅଭିଯୋଗ ହେଉଛି।