Categories: ଜାତୀୟ

ଶିଶୁ କଲ୍ୟାଣ ଅଧିକାରୀଙ୍କୁ ପିଟିଲେ ଅନ୍ତେବାସୀ

ରାଏବରେଲୀ,୧୩।୧୧: ସାଧାରଣତଃ ପ୍ରାୟ ସମୟରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶ ରାଏବରେଲୀରେ ଏହାର ଓଲଟା ଦୃଶ୍ୟ ସାମ୍ନାକୁ ଆସିଛି। ସେଠାକାର ଛାତ୍ରମାନେ ମହିଳା ଶିଶୁ କଲ୍ୟାଣ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଥିବା ଜଣାପଡ଼ିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସବୁ ମହଲରେ ଏହାକୁ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ, ରାଏବରେଲୀ ଥାନା ଅଞ୍ଚଳର ଧୋରହାରା ସ୍ଥିତ ଗାନ୍ଧୀ ସେବା ନିକେତନରେ କାର୍ଯ୍ୟରତ ଥିବା ଶିଶୁ କଲ୍ୟାଣ ଅଧିକାରୀ ମମତା ଦୁବେ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ହଠାତ୍‌ ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ କିଛି ଛାତ୍ର ତାଙ୍କୁ ହାତରେ ଆଉ ଚେୟାରରେ ନିସ୍ତୁକ ମାଡ ମାରିଥିଲେ। ହେଲେ ଛାତ୍ରଙ୍କ କୋପରୁ ବର୍ତ୍ତିବା ପାଇଁ ମହିଳା ଅଧିକାରୀ ଜଣଙ୍କ ଏଣେତେଣେ ଦୌଡିବାକୁ ଲାଗିଥିଲେ। ପରେ ଏହି ଘଟଣା ବିଷୟରେ ମମତା ମାଜିଷ୍ଟ୍ରେଟଙ୍କୁ ଜଣାଇବା ସହ ଏସବୁ ପାଇଁ ସଂସ୍ଥାର ପରିଚାଳକଙ୍କୁ ସେ ଦାୟୀ କରିଛନ୍ତି। ସେ କହିଛନ୍ତି, ଏଥିପାଇଁ ପରିଚାଳକ ଛାତ୍ରଙ୍କୁ ଉସୁକାଇଥିଲେ। ପୂର୍ବରୁ ମଧ୍ୟ ଛାତ୍ରମାନେ ତାଙ୍କୁ ଶୌଚାଳୟରେ ବନ୍ଦ କରିଦେଇଥିବା ମମତା ଅଭିଯୋଗ କରିଛନ୍ତି। ସୂଚନାମୁତବକ ପରିଚାଳକ ଓ ଶିଶୁ କଲ୍ୟାଣ ଅଧିକାରୀଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଛି। ତାଙ୍କୁ ବାହାର କରିବା ପାଇଁ ପରିଚାଳକ ଏଭଳି ଷଡଯନ୍ତ୍ର କରୁଛନ୍ତି ବୋଲି ମମତା କହିଛନ୍ତି। ଅନ୍ୟପଟେ ଏନେଇ ପରିଚାଳକ କହିଛନ୍ତି, ମମତା ସବୁବେଳେ ଛାତ୍ରଙ୍କୁ ଗାଳିଦେବା ସହ ଅନାଥ ବୋଲି କହିଥାନ୍ତି। ତେଣୁ ଛାତ୍ରମାନେ ତାଙ୍କର କଥାରେ ଅତିଷ୍ଟ ହୋଇ ଏଭଳି କରିଛନ୍ତି ବୋଲି ପରିଚାଳକ କହିଛନ୍ତି। ତେବେ ମାଡର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ଏହାକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି।

Share