ଶିଶୁ ଦିବସରେ ପିଲାଙ୍କୁ ଚକୋଲେଟ୍‌ ଦେଇ ଅଡୁଆରେ ପ୍ରଧାନ ଶିକ୍ଷକ

ଆରଡି,୧୯।୧୧,(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ତଳଦୁମୁକା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଗତ ଗୁରୁବାର ଶିଶୁ ଦିବସ ପାଳିତ ହୋଇଥିଲା। ସେହିଦିନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଲାଗି ରୋଷେଇ ହୋଇ ନ ଥିଲା। ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ୪ଟି ଲେଖାଏ ଚକୋଲେଟ୍‌ ଦେଇ ଘରକୁ ପଠାଇ ଦେଇଥିଲେ। ମାତ୍ର ଅନ୍‌ଲାଇନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଛି ଓ (୧୨୨ ଜଣ) ପିଲା ଖାଇଥିବା ପ୍ରଧାନ ଶିକ୍ଷକ ମେସେଜରେ ଦର୍ଶାଇଥିଲେ। ଏ ନେଇ ସ୍କୁଲ ଖୋଲିବା ପରେ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କୁ ଏ ବିଷୟରେ ପଚାରି ହୋହଲ୍ଲା କରିଥିଲେ । ଏଥିସହିତ ସେମାନେ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପ୍ରଧାନ ଶିକ୍ଷକ ରୋଷେଇ କରି ନ ଥିବା ସ୍ବୀକାର କରିଥିଲେ । ତେବେ ଏ ନେଇ ଜିଲା ଶିକ୍ଷାଧିକାରୀ କାର୍ଯାନୁଷ୍ଠାନ ନେବାକୁ ମଙ୍ଗଳବାର ଅଭିଭାବକମାନେ ଦାବି କରିଛନ୍ତି ।