Categories: ମେଟ୍ରୋ

ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ ଅଫିସ, ୭ା୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକେ ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ର ଆଗରେ ହୋହଲ୍ଲା କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ଦଣ୍ଡାସାହିର ଶ୍ରଦ୍ଧା ବାରିକଙ୍କ ୫ମାସର ଶିଶୁକନ୍ୟା ଥଣ୍ଡା କାଶରେ ପୀଡ଼ିତ ହୋଇ ୫ଦିନ ତଳେ ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ରର ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଶ୍ରଦ୍ଧାଙ୍କ ଭାଇ ବାଙ୍କେଶ୍ୱର କହିଛନ୍ତି, ବୁଧବାର ଅପରାହ୍ନ ୪ଟାରୁ ଶିଶୁକୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ସେ ଡ୍ୟୁଟିରେ ଥିବା ଷ୍ଟାଫଙ୍କୁ ସେ ଜଣାଇଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ କେହି ଆସିି ନ ଥିଲେ। ତେବେ ସନ୍ଧ୍ୟା ରୁଟିନ୍‌ ଚେକିଂ ବେଳେ ଶିଶୁକନ୍ୟାର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଥିଲା। ୱାର୍ଡରେ ଥିବା ଜନୈକ ଷ୍ଟାଫ୍‌ଙ୍କ ବ୍ୟବହାର ଆଦୌ ଭଲ ନୁହେଁ। ଶିଶୁର ସ୍ବାସ୍ଥ୍ୟ ଅଥବା କୌଣସି ବିଷୟ ପଚାରିଲେ ସେ ଦୁର୍ବ୍ୟବହାର କରୁଥିଲେ। ଏପରି କି ଇଚ୍ଛା ହେଲେ ଏଠାରେ ଚିକିତ୍ସା କର, ନ ହେଲେ କଟକ ପଠାଇ ଦିଆଯିବ ବୋଲି ଧମକାଉ ଥିଲେ। ବୁଧବାର ଅପରାହ୍ନଠାରୁ ଶିଶୁର ସ୍ବାସ୍ଥ୍ୟ ଭଲ ନ ଥିବା ପରିବାରବର୍ଗ ଜଣାଇଥିଲେ ମଧ୍ୟ ଡାକ୍ତର ଆସିଲେ ଦେଖାଯିବ କହି କେହି ବି ସେମାନଙ୍କ ଗୁହାରି ଶୁଣି ନ ଥିଲେ। ଫଳରେ ଶିଶୁର ଜୀବନ ଚାଲିଗଲା ବୋଲି କାନ୍ଦି କାନ୍ଦି କହିଛନ୍ତି ବାଙ୍କେଶ୍ୱର। ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମର ପ୍ରଭାବ ଏଠାରେ ପଡୁ ନ ଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡା. ରୀତା ଦାଶ। ସମ୍ପୃକ୍ତ ଶିଶୁକନ୍ୟାର ଚିକିତ୍ସାରେ କୌଣସି ଅବହେଳା କରାଯାଇ ନ ଥିବା ସେ କହିଛନ୍ତି। ତେବେ ଭାରପ୍ରାପ୍ତ ଏଡିଏମ୍‌ଓ (ମେଡିକାଲ) ଉମା ବିଶ୍ୱାଳଙ୍କ ମୋବାଇଲ ନଂ. ୯୪୩୯୯୯୪୭୧୦ (ସିୟୁଜି) ଏବଂ ଭାରପ୍ରାପ୍ତ ସିଡିଏମ୍‌ଓ ଡା. ବିରଜା ରଥଙ୍କ ମୋବାଇଲ ନଂ. ୯୪୩୯୯୯୪୭୦୮ (ସିୟୁଜି)କୁ ଫୋନ୍‌ କରାଯାଇଥିଲେ ମଧ୍ୟ ଦୁଇଟି ଯାକ ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିଲା। ଉଲ୍ଲେଖ ଥାଉ କି, କିଛିଦିନ ତଳେ ବ୍ରହ୍ମଗିରି ଅଞ୍ଚଳର ଜଣେ ନାବାଳକଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

Share