Categories: ବାଣିଜ୍ୟ

ଶୀଘ୍ର ହୋଇପାରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ଓ୍ବାଶିଂଟନ,୫-୧: ଭାରତ ଏବଂ ଆମେରିକା ଶୀଘ୍ର ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର କରିପାରନ୍ତି। ଦୁଇ ଦେଶ ଏହି ଚୁକ୍ତିରେ ସାମିଲ ହେବା ନେଇ ନିକଟତର ହୋଇଛନ୍ତି। ଚୁକ୍ତି ସ୍ବାକ୍ଷରିତ ହେଲେ ଦୁଇ ମଧ୍ୟରେ ବ୍ୟବସାୟ ସୁଗମ ହେବା ନେଇ ଆଶା କରାଯାଉଛି। ଭାରତ ପକ୍ଷରୁ ଆମେରିକାରେ ଅବସ୍ଥାପିତ ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶୃଙ୍ଗଲା ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି। ଭାରତୀୟ ଆମେରିକୀୟ ଉଦ୍ୟୋଗୀଙ୍କ ଏକ ଫୋରମ ଟାଇଡିସିର ଏକ କାର୍ଯ୍ୟକ୍ରମରେ ଶ୍ରୀଙ୍ଗଲା କହିଛନ୍ତି ଯେ, ଚୁକ୍ତି ଦ୍ୱାରା ଭାରତ ଆମେରିକା ଉଭୟେ ଉଭୟଙ୍କୁ ପରିବର୍ଦ୍ଧିତ ବଜାର ସୁବିଧା ପ୍ରଦାନ କରିବେ। ଚୁକ୍ତି କେବେ ସୁଦ୍ଧା ସ୍ବାକ୍ଷର ହେବ ସେ ନେଇ ଶ୍ରୀଙ୍ଗଲା କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତାଙ୍କୁ ବର୍ତ୍ତମାନ ଭାରତର ବୈଦେଶିକ ସଚିବ ଭାବେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି।
ବାଣିଜ୍ୟ ଚୁକ୍ତି ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସେପ୍ଟେମ୍ବରରେ ପ୍ରଥମେ ଆଭାଷ ଦେଇଥିଲେ। ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ବେଳେ ଟ୍ରମ୍ପ ଏହି ସୂଚନା ଦେଇଥିଲେ। ଦୁଇ ଦେଶର ବୃହତ୍ତର ଆର୍ଥତ୍କ ସ୍ବାର୍ଥକୁ ନଜରରେ ରଖି ଏଭଳି ଚୁକ୍ତି ସ୍ବାକ୍ଷର ହେବ। ଏହା ଦ୍ୱାରା ଉଭୟ ଦେଶର କମ୍ପାନୀ ଲାଭବାନ ହେବେ ବୋଲି ଶ୍ରୀଙ୍ଗଲା ମତ ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ୧୦ ବର୍ଷରେ ଭାରତ ଆମେରିକା ମଧ୍ୟରେ ବାଣିଜ୍ୟରେ ବେଶ ଉନ୍ନତି ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୧୬୦ ବିଲିୟନ ଡଲାର ଟପିବା ନେଇ ଆଶା କରାଯାଉଛି।

Share