Categories: ଖେଳ

ଶୀତଦିନେ ଆୟୋଜନ ହେବ ଫିଫା ବିଶ୍ୱକପ

ଦୋହା,୫।୯(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଶୀତଦିନରେ ଆୟୋଜନ ହେବା ନେଇ ପ୍ରାକ୍‌ ସୂଚନା ମିଳିଛି। ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନରୁ ଏହା ଜଣାପଡୁଛି। କାତାରରେ ଏହି ବିଶ୍ୱକପ୍‌ ଆୟୋଜନ ନେଇ ପୂର୍ବରୁ ଏକାଧିକ ବାର ବିବାଦ ସୃଷ୍ଟି ହୋଇଥିଲା। ଏହି ମୋଗା ଇଭେଣ୍ଟ ପାଇଁ ବିଶ୍ୱସ୍ତରୀୟ ତଥା ସୁନ୍ଦର ଭିତ୍ତିଭୂମି ସୃଷ୍ଟି କରାଯାଇଛି। ମଧ୍ୟପ୍ରାଚ୍ୟର ଏହି କ୍ଷୁଦ୍ର ଦେଶ କାତାରରେ ବିଶ୍ୱକପ୍‌ ଆୟୋଜନ ଅଧିକାର ପ୍ରଦାନ ନେଇ ପୂର୍ବରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରଥମଥର ପାଇଁ ମଧ୍ୟପ୍ରାଚ୍ୟରେ ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ଏଠାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱକପ୍‌ ଲୋଗୋରେ ଉଲର ପାରମ୍ପରିକ ସାଲ୍‌ ଦେଖିବାକୁ ମିଳିଛି। ଶୀତଦିନେ ଏହାର ବ୍ୟବହାର କରାଯାଇଥାଏ। ତେଣେ ବିଶ୍ୱକପ୍‌ ଶୀତଦିନେ ଆୟୋଜନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ବୋଲି ଫିଫା କହିଛି। ଯଦିଓ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ। ତେବେ ବିଶ୍ୱକପ୍‌ ନଭେମ୍ବର ଓ ଡିସେମ୍ବରରେ ଖେଳାଯିବ। ସାଧାରଣତଃ ଜୁନ୍‌ ଓ ଜୁଲାଇରେ ଫିଫା ବିଶ୍ୱକପ୍‌ ଆୟୋଜନ ହୋଇଥାଏ। ତେବେ ସେତେବେଳେ କାତାରରେ ଗ୍ରୀଷ୍ମ ଓ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଶୀତଦିନେ ଏହି ମୋଗ ଇଭେଣ୍ଟ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟ ପଡୋଶୀ ଦେଶ ବିଶ୍ୱକପ୍‌ ଆୟୋଜନରେ କୌଣସି ଭୂମିକା ନିର୍ବାହ କରୁନାହାନ୍ତି। ରାଜନୈତିକ ତଥା କୁଟନୈତିକ ସ୍ତରରେ ମୁକାବିଲାମୁଳକ ସ୍ଥିତି ସୃଷ୍ଟି ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୭ ପରଠାରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ସୌଦି ଆରବ ଓ ଇଜିପ୍ଟ କାତାରଠାରୁ କୁଟନୈତିକ ଓ ଅର୍ଥନୈତିକସ୍ତରରେ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ଫଳରେ ବିଶ୍ୱକପ୍‌ ଅବସରରେ ପ୍ରଶଂସକଙ୍କ ଯାତାୟାତ ନେଇ ସମସ୍ୟା ସୃଷ୍ଟି ହେବାର ସମ୍ପାବନା ରହିଛି। ୨୦୧୦ରେ କାତାର ମତଦାନ ମାଧ୍ୟମରେ ବିଶ୍ୱକପ୍‌ ଆୟୋଜନ ଅଧିକାର ପାଇଥିଲା। ବିଶ୍ୱକପ୍‌ ଭିତ୍ତିଭୂମି ନିର୍ମାଣ ଉନ୍ନତ ମାନର ହୋଇନାହିଁ ବୋଲି ଫିଫା ତଦନ୍ତ କରି ଜାଣିବାକୁ ପାଇଥିଲା। ତେବେ ଏ ନେଇ କୌଣସି ପ୍ରମାଣ ପାଇ ନ ଥିଲା। ଫଳରେ ବିବାଦ ସୃଷ୍ଟି ହୋଇଥିଲା।

Share