Categories: ଜାତୀୟ

ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ

ନୂଆଦିଲ୍ଲୀ/ଶିମ୍‌ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ତଳେ ରହିଥିବାବେଳେ କେଲଙ୍ଗରେ ତାପମାତ୍ରା ବିଯୁକ୍ତ ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୨/୩ ଦିନ ସେଠାରେ ପ୍ରବଳ ବର୍ଷା ସହ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କଳ୍ପା ଓ କିନ୍ନାଉର ଜିଲାରେ ତାପମାତ୍ରା ବିଯୁକ୍ତ ୪.୬ ଥିବାବେଳେ କୁଲ୍ଲୁରେ ବିଯୁକ୍ତ ୨.୮ ଡିଗ୍ରୀ, ମଣ୍ଡି ଜିଲାର ସୁନ୍ଦରନଗରରେ ବିଯୁକ୍ତ ୦.୫ ଡିଗ୍ରୀ ରହିଥିବା ଜଣାପଡିଛି। ବୁଧବାର ଜମ୍ମୁ ତାପମାତ୍ରା ମଧ୍ୟ ୪.୮ ଡିଗ୍ରୀ ରହିଥିବାବେଳେ ଶ୍ରୀନଗରରେ ବିଯୁକ୍ତ ୩.୭ ଡିଗ୍ରୀକୁ ଖସିଆସିଛି। ଉତ୍ତର କଶ୍ମୀରର ଗୁଲ୍‌ମାର୍ଗରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୧.୫ ଡିଗ୍ରୀ ରହିଥିବାବେଳେ ପହଲଗାମରେ ବିଯୁକ୍ତ ୧୦.୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଲଦାଖର ଲେହରେ ତାପମାତ୍ରା ବିଯୁକ୍ତ ୧୭.୯ ଡିଗ୍ରୀରେ ପହଞ୍ଚିଲାଣି। ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲ୍‌ସିୟସକୁ ଖସିଆସିଛି, ଯାହା କି ଚଳିତ ଶୀତଋତୁରେ ସର୍ବନିମ୍ନ। ମେଘୁଆ ପାଗ ସାଙ୍ଗକୁ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ପବନ ବହିବାରୁ ତାପମାତ୍ରାରେ ହ୍ରାସ ଘଟିଛି। ଏହା ବ୍ୟତୀତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ରେ ମଧ୍ୟ ପ୍ରବଳ ଥଣ୍ଡା ସାଙ୍ଗକୁ ଘନକୁହୁଡି ଅନୁଭୂତ ହୋଇଛି।

Share