ଶୀତରେ ଥରୁଛି ସାରା ଓଡ଼ିଶା; ନୂଆବର୍ଷରେ ବର୍ଷା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତ ଦାଉରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ତେବେ ଏହିଭଳି ଶୀତର ଲହରୀ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଲାଗିରହିବ। ଅନ୍ୟପଟେ ନୂଆବର୍ଷରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧ ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ। ୧ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ ଜିଲାର କେତେକ ସ୍ଥାନରେ ବର୍ଷା ହେବ। ୨ ଓ ୩ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ କୁଆପଥର ମଧ୍ୟ ପଡ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ କମ୍‌ ରହିବ।
ଶନିବାର ରାଜ୍ୟର ୯ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବାବେଳେ ରବିବାର ୧୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଏହାସହ ସୋନପୁର ପୁଣି ଥରେ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଶନିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିବାବେଳେ ରବିବାର ୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୋଳରେ ୪.୬ ଡିଗ୍ରୀ, ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଏବଂ ଟିଟିଲାଗଡ଼ରେ ୬.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣାରେ ୬.୫, କେନ୍ଦୁଝରରେ ୬.୬, ଶିଳ୍ପନଗରୀ ଝାରସୁଗୁଡ଼ାରେ ୭.୩, ସମ୍ବଲପୁରରେ ୭.୪, ବଲାଙ୍ଗିରରେ ୮, ବାଲେଶ୍ୱରରେ ୮.୬ ଏବଂ କଟକରେ ୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସୁନ୍ଦରଗଡ଼ ଓ ବାରିପଦାର ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଥିବାବେଳେ କୋରାପୁଟର ୯.୬ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ୱର ସମେତ ତାଳଚେର ଓ ଚାନ୍ଦବାଲିରେ ତାପମାତ୍ରା ୧୦.୨ ଡିଗ୍ରୀ ରହିଥିବାବେଳେ ହୀରାକୁଦରେ ୧୦.୧ ଡିଗ୍ରୀ ରହିଛି। ଏହାଛଡ଼ା ପାରାଦୀପରେ ୧୨.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଗୋପାଳପୁରରେ ୧୨.୭ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ରହିବ। ପ୍ରବଳ ଶୀତ ଲହରୀ ନେଇ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଅନୁଗୋଳ, କେନ୍ଦୁଝର ଓ ଦେବଗଡ଼ ଆଦି ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛିି।
ଓଡ଼ିଶାର କେତେକ ଜିଲାକୁ ବିଳମ୍ବରେ ଶୀତ ଛୁଇଁଥିଲେ ମଧ୍ୟ ଗତ ୨-୩ ଦିନ ହେବ ସାରା ରାଜ୍ୟ ଶୀତ ଦାଉରେ ଥରୁଛି। ଅନେକ ସ୍ଥାନରେ ତୁଷାରପାତ ହେଉଥିବାର ମଧ୍ୟ ସୂଚନା ରହିଛି। ପ୍ରବଳ ଶୀତ ଯୋଗୁ ସଞ୍ଜ ନଇଁଲେ ଲୋକେ ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେହିପରି ପ୍ରବଳ କୁହୁଡ଼ି ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ମଧ୍ୟ ଦେଖା ଯାଉନାହିଁ।

Share