ଶୀତଲଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବିଧାୟକ

ଭଦ୍ରକ ଅଫିସ, ୨୨।୬ – ୧୧ ମାସ ତଳେ ଭଦ୍ରକ ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଶୀତଲ ସାହୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ବହନ କରିବେ ବୋଲି ଘୋଷଣା କରିଛନ୍ତି। ବିଧାୟକ ମଲ୍ଲିକ ଶୀତଲଙ୍କ ଘର ରାହାଞ୍ଜରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ସେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଶୀତଲଙ୍କ ବାପା ସୁବାସଙ୍କୁ ଆଶ୍ୱାସନା ଦେଇଛନ୍ତି। ଗଣମାଧ୍ୟମରୁ ଶୀତଲଙ୍କ ଅବସ୍ଥା ବିଷୟରେ ଜାଣି ବିଧାୟକ ତାଙ୍କ ଘରକୁ ଯାଇ ଆଶୁ ଆରୋଗ୍ୟ କାମନା କରିଥିଲେ। ଶୀତଲଙ୍କୁ ନିଜ ଧର୍ମ ଝିଅ ଭାବେ ଆଦରି ନେଇ ତାଙ୍କୁ ଘରୋଇ ହସ୍ପିଟାଲରେ ସୁସ୍ଥ କରାଇବେ ବୋଲି ସେ କହିଛନ୍ତି। ସୂଚନାଥାଉ କି, ଦୁର୍ଘଟଣାରେ ଶୀତଲଙ୍କ ବଡ଼ଭଉଣୀ ଶ୍ୱେତା ସହ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଶୀତଲ ଅଳ୍ପକେ ବଞ୍ଚିଯାଇ ୧୧ ମାସ ଧରି ଚିକିତ୍ସାଧୀନ ରହିଆସିଛନ୍ତି। ବିଧାୟକଙ୍କ ଏହି କେଇପଦ କଥା ଶୀତଲ ଓ ତାଙ୍କ ପରିବାର ଲୋକଙ୍କ ମନରେ ଖୁସି ଆଣିଦେଇଛି।