ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ ପ୍ରଶ୍ନୋତ୍ତର ବେଳେ ଅର୍ଥମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଲେ, ତାହା ମୋତେ ବହୁତ ବାଧିଛି। ଆପଣ ଏସବୁକୁ ଗୃହର ବିବରଣୀରୁ ବାଦ୍‌ ଦିଅନ୍ତୁ। ବାଦ୍‌ ନ ଦେଲେ ବିଧାନସଭା ଶେଷ ହେବାଯାଏ ମୁଁ ଆଉ ଗୃହକୁ ଆସିବି ନାହିଁ। ପୂର୍ବତନ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗୁରୁବାର ବିଧାନସଭାରେ ଏଭଳି କାକୁତିମିନତି ହୋଇ କହିଛନ୍ତି।
ଶୂନ୍ୟକାଳରେ ମହାରଥୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ମୁଁ କୃଷିମନ୍ତ୍ରୀ ଥିଲାବେଳେ ରାଜ୍ୟରେ ମାତ୍ର ୨୬ଟି ଶୀତଳଭଣ୍ଡାର ଚାଲୁଥିଲା। ମୋ ସମୟରେ ଏହା ୪୮କୁ ବୃଦ୍ଧି ପାଇଲା। ମୁଁ କୃଷିମନ୍ତ୍ରୀ ଥିବାବେଳେ ରାଜ୍ୟକୁ ୪ଥର କୃଷି କର୍ମଣ ପୁରସ୍କାର ମିଳିଛି। ବୁଧବାର ମନ୍ତ୍ରୀ କହିଲେ, ମୋ’ ସମୟରେ ଶୀତଳଭଣ୍ଡାର ଓ ଆଳୁମିଶନ ବନ୍ଦ ହୋଇଛି। ଏହାକୁ ମୁଁ ତୀବ୍ର ବିରୋଧ କରୁଛି। ସାତଥର ବିଧାୟକ ହେଲିଣି, ଏମିତି ମୋତେ କେବେ ବାଧି ନ ଥିଲା। ରାତିରେ ମୋତେ ନିଦ ହୋଇନାହିଁ। ମୁଁ ଆପଣଙ୍କୁ ହାତ ଯୋଡୁଛି ମନ୍ତ୍ରୀ ମୋ ବିଷୟରେ କହିଥିବା ବକ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍‌ ଦିଅନ୍ତୁ। ବାଚସ୍ପତି ମହାରଥୀଙ୍କ ଉଦ୍‌ବେଗକୁ ଦେଖି କହିଥିଲେ ଯେ, ବିବରଣୀରେ ଯଦି କୌଣସି ଆପତ୍ତି ଥାଏ, ତେବେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କ ଏଭଳି ଆଶ୍ୱାସନା ବାଣୀ ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ହଜମ ହେଲା ନାହିଁ। ସେ ଠିଆ ହୋଇ ବିରୋଧ କରିବା ସହ କହିଥିଲେ ଯେ, ଯେତେବେଳେ ଯାହା ଚାହିଁବେ ବିବରଣୀରୁ ବାଦ୍‌ ଦେଇଦେବେ। ଗୃହ ଏଭଳି ଚାଲେ ନାହିଁ। ବିଜେଡି ସରକାର ସମୟରେ ସମସ୍ତ ଶୀତଳଭଣ୍ଡାର ବନ୍ଦ ହୋଇଛି ବୋଲି ସେ କହିଥିଲେ।

Share