ବେଜିଂ,୨୪।୫: କରୋନା ସଂକ୍ରମଣକୁ ନେଇ ଆମେରିକା ଲଗାତାର ଚାଇନା ଉପରେ ଦୋଷ ଲଦିବାରେ ଲାଗିଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନାକୁ ଚାଇନା ଭୂତାଣୁ ଭାବେ ମଧ୍ୟ ନାମ କରଣ କରିଛନ୍ତି। ଏଭଳି କରିବା ଦ୍ୱାରା ଆମେରିକା ଧୀରେଧୀରେ ଶୀତଳଯୁଦ୍ଧ ମୁହାଁ ହେବାରେ ଲାଗିଛି ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍ ଓ୍ବି ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ କହିଛନ୍ତି। ଏହାଦ୍ୱାରା ଦୁଇଦେଶର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ କ୍ରମଶଃ ଦୂରତା ବଢ଼ିବାରେ ଲାଗିଛି। ସାଧାରଣ ସମୟରେ ଦୁଇଦେଶଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାବେଳେ କରୋନା ମହାମାରୀବେଳେ ଟ୍ରମ୍ପ୍ ପ୍ରଶାସନ ଚାଇନାକୁ ଆକ୍ଷେପ କରି ଚାଲିଛନ୍ତି। ଏହା ଅତ୍ୟନ୍ତ ଦୁଃଖର କଥା ବୋଲି ଓ୍ବିଙ୍ଗ୍ କହିଛନ୍ତି। ପୃଥିବୀର କିଛି ରାଜନୈତିକ ଶକ୍ତି ଆମେରିକା ଏବଂ ଚାଇନାର ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଥିବା ସେ ଅଭିଯୋଗ କରିଛନ୍ତି।