ଶୀତ ଗାଏବ: ଉପକୂଳରେ କୁହୁଡି, ୧୩ରେ ହାଲୁକା ବର୍ଷା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଡିସେମ୍ବର ମାସ ଅଧା ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ସହରାଞ୍ଚଳରେ ଶୀତ ଗାଏବ ହୋଇଯାଇଥିଲେ ମଧ୍ୟ ବଣପାହାଡ଼ ଘେରା ଜିଲାରେ ବି ଶୀତ ଅନୁଭୂତ ହେଉନାହିଁ। ଓଡ଼ିଶାର କଶ୍ମୀର କୁହାଯାଉଥିବା ଫୁଲବାଣୀ ଜିଲାର ଦାରିଙ୍ଗବାଡ଼ିରେ ଶୀତ ଗାଏବ ହୋଇ ଯାଇଛି। ୨୦୧୮ ଡିସେମ୍ବର ୧୯ରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଚଳିତ ବର୍ଷ ଏହି ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସୁ ନାହିଁ। ତେବେ ଗତ ବର୍ଷ ଡିସେମ୍ବର ୧୧ ତାରିଖରେ ଉଭୟ ଅଞ୍ଚଳର ତାପମାତ୍ରା ୬ରୁ ୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିଛି।

ଚଳିତ ବର୍ଷ ଅଧିକ ବାତ୍ୟା ଯୋଗୁ ଜଳବାୟୁରେ ଅଚାନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଆରବସାଗରରେ ଲଗାତର ବାତ୍ୟା ସୃଷ୍ଟି ହେବା ଯୋଗୁ ଦେଶ ଭିତରକୁ ଜଳୀୟକଣା ବହୁ ମାତ୍ରାରେ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ତଳକୁ ଖସିପାରୁ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଗତ କିଛି ବର୍ଷ ହେବ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏଥିସହିତ କଳକାରଖାନା, ଯାନବାହନ ସଂଖ୍ୟା ବୃଦ୍ଧି, ସବୁଜ ବଳୟ ଧ୍ୱଂସ, ଅତିମାତ୍ରାରେ ଶୀତତାପ ନିୟନ୍ତ୍ରିତ ମେଶିନର ବ୍ୟବହାର, ବାୟୁମଣ୍ଡଳ ପ୍ରଦୂଷଣ ତାପମାତ୍ରା ବୃଦ୍ଧିର ଅନ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି। କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ନଭେମ୍ବରରୁ ଡିସେମ୍ବର ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ ପାର୍ଥକ୍ୟ ରହୁଛି। ଗତ ବର୍ଷ ଏହି ସମୟ ମଧ୍ୟରେ ରାଜ୍ୟକୁ ଶୀତ ପ୍ରବାହ ଆରମ୍ଭ ହୋଇଯାଇଥିବାବେଳେ ଏ ପର୍ଯ୍ୟନ୍ତ ଉତ୍ତର ଭାରତରେ ମଧ୍ୟ ତାପମାତ୍ରା ହ୍ରାସ ପାଇ ନାହିଁ। ତେବେ ଆସନ୍ତା ୧୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ କିମ୍ବା ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗୁରୁବାର ଓ ଶୁକ୍ରବାର ଉପକୂଳ ଓଡ଼ିଶାରେ କୁହୁଡି ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭.୩ ଡିଗ୍ରୀ ସେଲସିୟସ ଥିବାବେଳେ ଚାନ୍ଦବାଲି ୧୯, ଗୋପାଳପୁର ୧୯.୩, ବାରିପଦା ୧୭.୫, ଝାରସୁଗୁଡା ୧୪, କେନ୍ଦୁଝର ୧୩.୨, ସମ୍ବଲପୁର ୧୩.୮, ବଲାଙ୍ଗୀର ୧୫ ଏବଂ ଟିଟିଲାଗଡ଼ରେ ୧୨.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share