ଦୁବାଇ,୧୬।୯: ଅଷ୍ଟ୍ରେଲିଆନ୍ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଓ ବୋଲର ପ୍ୟାଟ କୁମିନ୍ସ ଆଇସିସି ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଶେସ ସିରିଜ୍ ଶେଷ ହେବା ପରେ ନୂଆ ଆଇସିସି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ ସୋମବାର ପ୍ରକାଶ ପାଇଛି। କେନିଂଟନ ଟେଷ୍ଟର ପ୍ରଥମ ଇନିଂସରେ ୮୦ ଓ ଦ୍ୱିତୀୟରେ ୨୩ ରନ୍ର ପାଳି ଖେଳିଥିବା ସ୍ମିଥ ଭାରତୀୟ ଅଧିନାୟକ ବିରାଟ ହଲି(୯୦୩)ଙ୍କଠାରୁ ୩୪ ପଏଣ୍ଟ ଆଗରେ ଅଛନ୍ତି। ସ୍ମିଥଙ୍କ ନିକଟରେ ଏବେ ୯୩୭ ପଏଣ୍ଟ ରହିଛି। ସେହିଭଳି କୁମିନ୍ସ ମଧ୍ୟ ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ ଆଫ୍ରିକାର କାଗଗିସୋ ରାବାଡାଙ୍କଠାରୁ ୫୭ ପଏଣ୍ଟ ଆଗୁଆ ଅଛନ୍ତି। ଆଶେସ ସିରିଜରେ ସମସ୍ତ ମ୍ୟାଚ୍ ଖେଳିଥିବା କୁମିନ୍ସ ମୋଟ ୨୯ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ବାଡେ ଓ ମିଚେଲ ମାର୍ଶଙ୍କ ର଼୍ୟାଙ୍କିଙ୍ଗ୍ରେ ଆଖିଦୃଶିଆ ଉନ୍ନତି ହୋଇଛି। କ୍ୟାରିୟରର ୪ର୍ଥ ଶତକ ବଳରେ ଓ୍ବାଡେ ୭୮ରୁ ୩୨ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍। ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ୫ ଉଇକେଟ ନେଇଥିବା ମିଚେଲ ୨୦ ସୋପାନ ଉପରକୁ ଉଠି ୫୪ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ଡେଭିଡ ଓ୍ବାର୍ନର ୨୪ତମ ସ୍ଥାନକୁ ଖସିଛନ୍ତି। ପୂର୍ବରୁ ୫ମରେ ଥିବା ବାମହାତୀ ଓପନର ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ମାତ୍ର ୯୫ ରନ୍ କରିପାରିଥିଲେ। ଜୋଶ ହାଜେଲଉଡଙ୍କ ର଼୍ୟାଙ୍କିଙ୍ଗ୍ ୮ମରୁ ଖସି ଦ୍ୱାଦଶରେ ପହଞ୍ଚତ୍ଛି। ଆଶେସରେ ପଦାର୍ପଣ କରିଥିବା ଜୋଫ୍ରା ଆର୍ଚର ୪୦ତମ ସ୍ଥାନରେ ରହିଛନ୍ତି।