Categories: ଖେଳ

ଶୀର୍ଷ ସ୍ଥାନ ହରାଇଲେ କୋହଲି

ଦୁବାଇ, ୨୬।୨ (ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲଗାତର ଖରାପ ବ୍ୟାଟିଂର ପ୍ରଭାବ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପଡ଼ିଛି। ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ କୋହଲି ଶୀର୍ଷ ସ୍ଥାନ ହରାଇଛନ୍ତି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ମାତ୍ର ୨୧ ରନ୍‌ ସଂଗ୍ରହ କରିଥିଲେ। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ କୋହଲି ୯୦୬ ପଏଣ୍ଟ ସହ ୨ୟ ସ୍ଥାନକୁ ଖସି ଯାଇଛନ୍ତି। ଏହାର ଫାଇଦା ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଉଠାଇଛନ୍ତି। ସ୍ମିଥ ୯୧୧ ପଏଣ୍ଟ ସହ ପ୍ରଥମ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ସ୍ମିଥ୍‌ କ୍ୟାରିୟରରେ ମୋଟ୍‌ ଉପରେ ୮ମ ଥର ଲାଗି ଶୀର୍ଷ ସ୍ଥାନ ଗ୍ରହଣ କରିଛନ୍ତି। ୨୦୧୫ ଜୁନ୍‌ରେ ସେ ପ୍ରଥମ ଥର ଲାଗି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ଲାଭ କରିଥିଲେ।
କୋହଲିଙ୍କ ବ୍ୟତୀତ ଆଉ ୩ ଭାରତୀୟ ବ୍ୟାଟ୍ସମ୍ୟାନ ଟପ୍‌-୧୦ରେ ରହିଛନ୍ତି। ଉପ-ଅଧିନାୟକ ଅଜିଙ୍କ୍ୟ ରାହାନେ, ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରଓ୍ବାଲ ଯଥାକ୍ରମେ ତାଲିକାର ୮ମ, ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରାହାନେ ୭୫ ରନ ସଂଗ୍ରହ କରି ଗୋଟିଏ ପାହାଚ ଉପରକୁ ଉଠିଛନ୍ତି। ସେହିଭଳି ୯୨ ରନ୍‌ କରିଥିବା ଯୁବ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲଙ୍କ ମାନ୍ୟତା ମଧ୍ୟ ବୃଦ୍ଧି ପାଇଛି। ତେବେ ପୂଜାରା ୨ଟି ପାହାଚ ତଳକୁ ଖସି ୯ମ ସ୍ଥାନରେ ରହିଛନ୍ତି।
ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ସେ ଗୋଟିଏ ସ୍ଥାନ ତଳକୁ ଖସି ୯ମରେ ରହିଛନ୍ତି। ପ୍ରଥମ ଟେଷ୍ଟରେ ସେ ୯୯ ରନ ବିନିମୟରେ ୩ ଉଇକେଟ୍‌ ହାସଲ କରିଥିଲେ। ଏକମାତ୍ର ଭାରତୀୟ ବୋଲର ଭାବେ ଅଶ୍ୱିନ ଟପ୍‌-୧୦ରେ ରହିଛନ୍ତି। ସେହିଭଳି ଆଘାତଜନିତ ସମସ୍ୟାରୁ ମୁକୁଳି ୫ ଉଇକେଟ୍‌ ହାସଲ କରିଥିବା ଇଶାନ୍ତ ଶର୍ମା ଗୋଟିଏ ପାହାଚ ଉପରକୁ ଉଠି ସପ୍ତଦଶ ସ୍ଥାନ ଲାଭ କରିଛନ୍ତି। ଭାରତକୁ ୧୦ ଉଇକେଟ୍‌ରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍‌ ସୌଦୀ ଓ ଟ୍ରେଣ୍ଟ ବୋଲ୍ଟ ମାନ୍ୟତାରେ ଯଥାକ୍ରମେ ୮ ଓ ୪ଟି ସ୍ଥାନ ଉପରକୁ ଉଠିଛନ୍ତି। ସୌଦୀ ୬ଷ୍ଠ ଓ ବୋଲ୍ଟ ୧୩ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା (୩ୟ) ଓ ଅଶ୍ୱିନ (୫ମ) ପୂର୍ବବତ୍‌ ଅପରିବର୍ତ୍ତିତ ରହିଛନ୍ତି। ସେହିଭଳି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ମଧ୍ୟ ଭାରତ ପୂର୍ବଭଳି ୩୬୦ ପଏଣ୍ଟ ସହିତ ଶୀର୍ଷରେ ରହିଛି।

Share