ଶୁକ୍ରବାରଠାରୁ ଇ-ବସ୍‌ ‘ଡେମୋ ରନ୍‌’

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବା ସାରା ଦେଶରେ ଆଦୃତ୍ତ ହୋଇଛି। ଦେଶର ଶ୍ରେଷ୍ଠ ସିଟି ବସ୍‌ ସେବା ପୁରସ୍କାର ପାଇଛି। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ଇ-ବସ୍‌ଗୁଡ଼ିକର ପରିଚାଳନା ଦାୟିତ୍ୱ କ୍ରୁଟ୍‌କୁ ଦିଆଯାଇଛି। ଆସନ୍ତା ଶୁକ୍ରବାରଠାରୁ ଭୁବନେଶ୍ୱରରେ ଇ-ବସ୍‌ଗୁଡ଼ିକର ଡେମୋ ରନ୍‌ କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି, ଇ-ବସ୍‌ ଚଳାଚଳ ପାଇଁ ଏବେ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ସାରା ଦେଶରୁ ବହୁ ଉଦ୍ୟୋଗୀ ଓ ସଂସ୍ଥା ନିଜ ନିଜର ଇ-ବସ୍‌ ମଡେଲକୁ ଡେମୋ ରନ୍‌ ଦ୍ୱାରା ଦେଖାଇବେ। ପ୍ରତିଦିନ ଉକ୍ତ ବସ୍‌ ସହରରେ ବୁଲିବ, କିନ୍ତୁ ଲୋକ ସେଥିରେ ଯାତାୟାତ କରିବେ ନାହିଁ। କେବଳ ସେଥିରେ ବାଲି ବସ୍ତା ରଖାଯିବ। ଏବେ ହାଇଦ୍ରାବାଦର ଜଣେ ବିଡର ଡେମୋ ଦେଖାଇବା ପାଇଁ ତା’ର ଇ-ବସ୍‌ ମଡେଲକୁ ଭୁବନେଶ୍ୱର ପଠାଇଛି। ଶୁକ୍ରବାରଠାରୁ ଏହାର ଡେମୋ ଆରମ୍ଭ ହେବ। ଇ-ବସ୍‌ଗୁଡ଼ିକୁ ଚାର୍ଜ କରିବା ପାଇଁ କ୍ରୁଟ୍‌ ପକ୍ଷରୁ ସେସୁ ସହ ଆଲୋଚନା ହୋଇଛି। ଇତିମଧ୍ୟରେ ଡେମୋ ରନ୍‌ ପାଇଁ ଆବଶ୍ୟକ ବିଦ୍ୟୁତ ଚାର୍ଜିଂ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଡେମୋ ପାଇଁ ଥିବା ଇ-ବସ୍‌ଟି କଟକ ବାଙ୍କୀ ନିକଟ ଏକ ପ୍ରୟୋଗ ଶାଳାରେ ରଖାଯାଇଛି। ସେଥିରେ ବାଲି ବସ୍ତା ଲୋଡ୍‌ କରାଯିବା ସହ ଓଜନ ମପାଯାଇ ରାସ୍ତାକୁ ଛଡ଼ା ଯିବ। ସମସ୍ତ ବିଡରଙ୍କ ଇ-ବସ୍‌କୁ ଯାଞ୍ଚ କଲା ପରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ବିଡର ୫୦ ଇ-ବସ୍‌ ଯୋଗାଇବ ବୋଲି ଜଣାପଡ଼ିଛି।

Share