ଶୁକ୍ରବାର ଜିସାଟ୍‌-୩୦ର ହେବ ଉତ୍‌କ୍ଷେପଣ: ୧୫ ବର୍ଷ ପାଇଁ କରିବ କାର୍ଯ୍ୟ

ସାୟେନି,୧୬।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶୁକ୍ରବାର ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି କାର୍ଯ୍ୟ ଅଧିକ ଭଲ ଭାବେ ସମ୍ପନ୍ନ ହୋଇପାରିବ। ଏହାଦ୍ୱାରା ଭାରତରେ ଇଣ୍ଟରନେଟ୍‌ ସ୍ପିଡ୍‌ ବଢ଼ିପାରିବ। ଫଳରେ ଯୋଗାଯୋଗ ବ୍ୟବସ୍ଥାରେ ନୂଆ କ୍ରାନ୍ତି ଆସିପାରିବ। ଫ୍ରେଞ୍ଚ୍‌ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍‌ ହେଭି ରକେଟ ଏରିୟନ୍‌-୫-ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍‌କ୍ଷେପଣ କରାଯିବ। ୩୮ ମିନିଟ୍‌ ୨୫ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷ ପଥରେ ଅବସ୍ଥାପିତ ହେବ । ଏହା ଏରିୟନ୍‌-୫-ଇସିଏର ୧୦୭ତମ ମହାକାଶ ମିଶନ ବୋଲି କୁହାଯାଉଛି। ଜିସାଟ୍‌-୩୦ ଓଜନ ୩୧ ଶହ କିଲୋଗ୍ରାମ୍‌ ରହିଛି। ଏଥିରେ ୨ଟି ସୋଲାର ପ୍ୟାନେଲ୍‌ ରହିଛି। ଏହାଦ୍ୱାରା ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଲାଗି ଜିସାଟ୍‌-୩୦କୁ ଆବଶ୍ୟକ ଶକ୍ତି ମିଳିପାରିବ। ଜିସାଟ୍‌-୩୦ ଇନସାଟ୍‌ ଉପଗ୍ରହ ସ୍ଥାନରେ କାର୍ଯ୍ୟ କରିବ। ଏହା ଆସନ୍ତା ୧୫ ବର୍ଷ ପାଇଁ ଏହା ଭାରତ ଲାଗି କାର୍ଯ୍ୟ କରିବ। ଭାରତରେ ଆବଶ୍ୟକ ସଞ୍ଚାର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସମ୍ପ୍ରତି ମହାକାଶରେ ଜିସାଟ୍‌ ସିରିଜ୍‌ର ୧୪ଟି ଉପଗ୍ରହ କାର୍ଯ୍ୟ କରୁଛି। ଚଳିତ ୨୦୨୦ରେ ଭାରତ ପକ୍ଷରୁ ୧୦ଟି ଉପଗ୍ରହ ମହାକାଶକୁ ଉତ୍‌କ୍ଷେପଣ କରାଯିବା ଲାଗି ଇସ୍ରୋ ପକ୍ଷରୁ ଯୋଜନା କରାଯାଇଛି।

Share