Categories: ଜାତୀୟ

ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା, ଫିରୋଜାବାଦରେ ଇଣ୍ଟରନେଟ ସେବା ବନ୍ଦ

ଆଗ୍ରା,୨୬।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଲାଗିରହିଥିବା ହିଂସା ଥମିବାର ନା ନେଉନି। ଏନେଇ ପଶ୍ଚିମ ଉତ୍ତରପ୍ରଦେଶର ୩ଟି ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା ଓ ଫିରୋଜାବାଦରେ ଏହି ସେବା ବାଧାପ୍ରାପ୍ତ ହୋଇଛି। ଏହି ଇଣ୍ଟରନେଟ ସେବା ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ତେବେ ବ୍ୟାଙ୍କ ଓ ସରକାରୀ ନେଟଓ୍ବାର୍କ ସର୍ଭିସ ଏହି ବନ୍ଦରୁ ବାଦ ପଡ଼ିବେ ବୋଲି ଆଗ୍ରା ଜିଲାପାଳ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ନମାଜ ପାଠ ପରେ ସିଏଏ ବିରୋଧରେ ଗୁଜବ ସୃଷ୍ଟି କରାଯିବା ସହ ହିଂସା ପ୍ରଦର୍ଶନ ଦେଖାଦେଇପାରେ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି। ଏଥିଯୋଗୁ ଏହି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି। କାରଣ ଗତ ସପ୍ତାହରେ ଶୁକ୍ରବାର ନମାଜ ପାଠ ପରେ ଏଠାରେ ହିଂସାତ୍ମକ ପରିସ୍ଥିତି ଦେଖାଦେଇଥିଲା। ସେହି ସମୟରେ ବିଭିନ୍ନ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା ଓ ପଥରମାଡ ଭଳି ଘଟଣା ଦେଖିବାକୁ ମିଳିଥିଲା। ଉତ୍ତରପ୍ରଦେଶରେ ହୋଇଥିବା ପ୍ରଦର୍ଶନ ଯୋଗୁ ୧୬ଜଣଙ୍କର ମୃତ୍ୟୁ ହୋଇଥିଲା।

Share