ନୂଆଦିଲ୍ଲୀ,୩୦-୭: ସମ୍ପତ୍ତି ବାଜ୍ୟାପ୍ତ କରିବା ଉପରେ ରହିତାଦେଶ ଜାରି କରିବା ଲକ୍ଷ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ହେବ। ନିମ୍ନ ଅଦାଲତ ପକ୍ଷରୁ ତାଙ୍କର ଓ ତାଙ୍କ ପରିବାରର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମାଲ୍ୟା ଅଭିଯୋଗ କରି ଏହାକୁ ରୋକିବାକୁ ସେ ନିଜ ଆବେଦନରେ ନିବେଦନ କରିଛନ୍ତି। ପୂର୍ବରୁ ବମ୍ବେ ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ମନା କରିଦେଇଥିଲେ।
ସହଯୋଗୀଙ୍କ ଠିକଣାରେ ଇଡି ଚଢ଼ାଉ
ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଘନିଷ୍ଠ ସହଯୋଗୀଙ୍କ ବେଙ୍ଗାଲୁରୁ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ଚଢ଼ାଉ କରିଛି। ସେଠାରୁ ପ୍ରାୟ ୨୨୦ କୋଟିରୁ ଅଧିକ ଟଙ୍କାର କାରବାର ସମ୍ପର୍କରେ ଜଣାପଡିଛି। ଏହି ଚଢ଼ାଉ ସମୟରେ ମାଲ୍ୟା ଓ ତାଙ୍କ ସହଯୋଗୀ ବି.ଶଶିକାନ୍ତଙ୍କ ମଧ୍ୟରେ ଭୂତ କମ୍ପାନୀ ପ୍ରତିଷ୍ଠା କରିବା ନେଇ ତିଆରି ହୋଇଥିବା କାଗଜପତ୍ରକୁ ଇଡି ଜବତ କରିଛି। ଏହାଛଡ଼ା ଦୁଇଜଣଙ୍କ ମଧ୍ୟରେ ହ୍ବାଟ୍ସଆପ୍ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପକୁ ମଧ୍ୟ ଜବତ କରାଯାଇଛି।