Categories: ଖେଳ

ଶୁଟିଂ ବିଶ୍ୱକପ: ରାହିଙ୍କୁ ସ୍ବର୍ଣ୍ଣ

ଓସିଜେକ୍‌, ୨୯ା୬ (ପି.ଟି.)-ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପରେ ବର୍ତ୍ତମାନ ଭଲ ଫର୍ମରେ ଥିବା ରାହି ସାର୍ନୋବତ୍‌ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସମାନ ଇଭେଣ୍ଟରେ ମନୁ ଭାକର ୭ମ ସ୍ଥାନ ଅଧିକାର କରିଛନ୍ତି। ଚଳିତ ସଂସ୍କରଣରେ ସର୍ନୋବତ୍‌ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଆଣିଦେଇଛନ୍ତି। ପୂର୍ବରୁ ଦେଶ ଗୋଟିଏ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ଜିତିସାରିଛି। କ୍ୱାଲିଫାଇଂରେ ମୋଟ ୫୯୧ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିବା ସାର୍ନୋବତ୍‌ ଫାଇନାଲରେ ୩୯ ସ୍କୋର କରିଥିଲେ। ସେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିରିଜରେ ପର୍ଫେକ୍ଟ ସ୍କୋର କରିଥିଲେ। ଏଠାରେ ସ୍ବର୍ଣ୍ଣ ଜିତିବା ଦ୍ୱାରା ଅଲିମ୍ପିକ୍ସ ପାଇଁ ସେ ନିଜକୁ ଠିକଣା ରୂପେ ପ୍ରସ୍ତୁତ କରିପାରିଥିବା ତାଙ୍କର ଧାରଣା ସୃଷ୍ଟି ହୋଇଛି। ଫାଇନାଲରେ ୩୧ ସ୍କୋର ସହ ଫ୍ରାନ୍ସର ମାଥିଲଡେ ଲାମୋଲି ରୌପ୍ୟ ଜିତିଥିଲେ। ଲାମୋଲି ରିଓ ଅଲିମ୍ପିକ୍ସ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ଜିତିଥିଲେ। ରୁଷିଆର ଭିଟାଲିନା ବାତ୍‌ସାରାସ୍‌କିନା (୨୮) ବ୍ରୋଞ୍ଜ ପାଇଥିଲେ। ଟୁର୍ନାମେଣ୍ଟରେ ପୂର୍ବରୁ ଭାକର ଓ ସୌରଭ ଚୌଧାରୀ ୧୦ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଟିମ୍‌ ରୌପ୍ୟ ଜିତିଥିଲେ। ଭାକର ପୂର୍ବରୁ ସାର୍ନୋବତ ଓ ଯଶସ୍ବିନୀ ଦେସଓ୍ବାଲଙ୍କ ସହ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ। ଏହାପୂର୍ବରୁ ଚୌଧାରୀ ପୁରୁଷ ୧୦ମିଟର ଏୟାର ପିସ୍ତଲରେ ବ୍ୟକ୍ତିଗତ ବ୍ରୋଞ୍ଜ ଜିତିଥିଲେ।

Share