ଶୁଟିଂ ବେଳେ ଚେତାଶୂନ୍ୟ ହେଲେ ବରୁଣ ଧଓ୍ବନ

ମୁମ୍ବାଇ: କଳାକାର ହେବ ତ ଅଭିନେତା ବରୁଣ ଧଓ୍ବନଙ୍କ ଭଳି,ଯିଏକି ନିଜ କାମକୁ ଶହେ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟିତ। ଏଭଳି କିଛି ଚର୍ଚ୍ଚା ଆଜିକାଲି ବଲିଉଡ୍‌ର ଗଳିକନ୍ଦିରେ ହେଉଛି। କଥା କ’ଣ କି..! ନିକଟରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ର ଶୁଟିଂ ସେଟ୍‌ରେ ବରୁଣ ଚେତାଶୂନ୍ୟ ହୋଇଯାଇଥିଲେ। ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ସେ ଲଗାତାର ଭାବେ କାମ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମେ ଥଣ୍ଡାଜ୍ୱର ଏବଂ ପରେ ରକ୍ତଚାପ କମ୍‌ ହେବା ଯୋଗୁ ସେ ଦୁର୍ବଳ ହୋଇଯାଇଥିଲେ। ଫିଲ୍ମଟି ନୃତ୍ୟଭିତ୍ତିକ ହୋଇଥିବାରୁ ବରୁଣଙ୍କୁ ଅଧିକ ସମୟ ରିହର୍ସଲ କରିବାକୁ ପଡ଼ୁଥିଲା। ମଙ୍ଗଳବାର ସେ ଏକ ଦୃଶ୍ୟର ଶୁଟିଂ କରୁଥିବା ସମୟରେ ଚେତା ହରାଇଥିଲେ। ତୁରନ୍ତ ଡାକ୍ତରମାନେ ଆସି ତାଙ୍କର ପରୀକ୍ଷା କରିଥିଲେ। ଜ୍ୱର ଓ ରକ୍ତଚାପ କମ୍‌ ହୋଇଯାଇଥିବା ହେତୁ ଡାକ୍ତର ତାଙ୍କୁ କିଛି ଦିନ ଆରାମ କରିବାକୁ କହିଥିଲେ। ମାତ୍ର ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ସେ ପୁନର୍ବାର ସେଟ୍‌କୁ ଫେରିଥିଲେ। ଡବଲ ସିପ୍ଟରେ କାମ କରି ସେ ଫିଲ୍ମର ଶୁଟିଂ ଶେଷ କରିଥିଲେ। ବରୁଣଙ୍କ କାମ ପ୍ରତି ଏଭଳି ମନୋଭାବକୁ ଅନେକେ ପ୍ରଶଂସା କରୁଛନ୍ତି।

Share