ଶୁଣାଣି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ ଅଫିସ,୧୬।୧୧: କଟକ ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ଚାଲିଥିବା ନକଲି ଔଷଧ କାରବାର ମାମଲାର ଶୁଣାଣି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିବାବେଳେ ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ ମାମଲା ପରିଚାଳନା କରୁଛନ୍ତି। ଆସନ୍ତା ଡିସେମ୍ବର ୧୩ରେ ପରବର୍ତ୍ତୀ ଶୁଣାଣି ହେବ।
ଆବେଦନକାରୀ ଶିବପ୍ରସନ୍ନ ଜେନା ତାଙ୍କ ପିଟିଶନରେ ଦର୍ଶାଇଥିଲେ, ତାଙ୍କ ନାମରେ ନକଲି ଔଷଧ କାରବାର ଅଭିଯୋଗରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ କଟକ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଏକ ମାମଲା ରୁଜୁ ହୋଇଛି। ସେହିପରି ସମାନ ଅଭିଯୋଗରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ସମ୍ପ୍ରତି କଟକ ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ଏହି ମାମଲାର ଶୁଣାଣି ଚାଲିଛି। ଗୋଟିଏ ଅଭିଯୋଗ ଆଧାରରେ ୨ଟି ମାମଲା କରାଯାଇପାରିବ ନାହିଁ। ତେଣୁ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲା ରଦ୍ଦ କରାଯିବାକୁ ସେ ଗତ ଅଗଷ୍ଟ ୫ରେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ, ଗତ ଜୁନ ୧୧ରେ କଟକ କନିକା ଛକ ନିକଟ ଶିବପ୍ରସନ୍ନଙ୍କ ଓଷଧ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡରେ ଡ୍ରଗ୍ସ କଣ୍ଟ୍ରୋଲର ଚଢ଼ାଉ କରି ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଫାଭିପିରାଭିର ଏବଂ ଅନ୍ୟ କିଛି ଔଷଧ ଜବତ କରିଥିଲେ। ଏହି କମ୍ପାନୀ ମୁମ୍ବାଇର ମାକ୍ସ ରିଲିଫ ହେଲ୍‌ଥ କେୟାର କମ୍ପାନୀରୁ କମ୍‌ ଦାମରେ ଓଷଧ ଆମଦାନୀ କରୁଥିଲା। ଏପରି କି ଷ୍ଟ୍ରିପ ପିଛା ୬୫ ଟଙ୍କାରେ କିଣି ୧୨୯୦ ଟଙ୍କା ଲେଖାଏ ବିକ୍ରି କରିବାକୁ ଯୋଜନା କରୁଥିବା ତଦନ୍ତ ବେଳେ ଜଣାପଡିଥିଲା। ପରେ ନକଲି ଔଷଧ କାରବାର ଘଟଣାରେ ଜୁନ ୨୩ରେ ଉକ୍ତ କମ୍ପାନୀର ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନାଙ୍କ ସମେତ ୨ କର୍ମଚାରୀ ଏବଂ ୨୪ରେ ଶିବପ୍ରସନ୍ନଙ୍କୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଗିରଫ କରିଥିଲା।

Share