Categories: ଜାତୀୟ

‘ଶୁଣାଣି ବେଳେ ପରିପକ୍ୱତା ଦେଖାଇଛି ଗଣମାଧ୍ୟମ’

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ଶୁକ୍ରବାର ସୁପ୍ରିମକୋର୍ଟରେ ଥିଲା ତାଙ୍କର ଶେଷ କାର୍ଯ୍ୟଦିବସ। ସେ ଖବରଦାତାମାନଙ୍କ ସହ ଜଣ ଜଣ କରି ସାକ୍ଷାତ୍‌କାର ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିଥିଲେ। ତେବେ ନ୍ୟାୟିକ ପ୍ରକ୍ରିୟାର ଶୁଣାଣି ସମୟରେ ମିଥ୍ୟା ଓ ମନଗଢ଼ା ଖବର ପ୍ରସାର ରୋକିବା ଦିଗରେ ପରିପକ୍ୱତା ଦେଖାଇଥିବାରୁ ସିଜେଆଇ ଗଣମାଧ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ଜଷ୍ଟିସ୍‌ ଗୋଗୋଇ କହିଥିଲେ, ଗଣମାଧ୍ୟମ ଜରିଆରେ ବିଚାରପତିମାନେ ଲୋକଙ୍କ ପାଖରେ ପହଞ୍ଚତ୍ବା ସୁପ୍ରିମକୋର୍ଟଙ୍କ ଆବଶ୍ୟକତା ନୁହେଁ। ବିଚାରପତି ଗଣମାଧ୍ୟମକୁ ଯିବା ଏକ ଅସାଧାରଣ ଘଟଣା ଓ ନିୟମ ବାହାରେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ୨୦୧୮ ଜାନୁୟାରୀ ୧୨ରେ ଜଷ୍ଟିସ୍‌ ଗୋଗୋଇ ଓ ଅନ୍ୟ ତିନି ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର, ମଦନ ବି. ଲୋକୁର ଏବଂ କୁରଏନ୍‌ ଯୋଶେଫ୍‌ ଏକ ଖବରଦାତା ସମ୍ମିଳନୀରେ ତତ୍କାଳୀନ ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ସିଜେଆଇ ଭାବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜଷ୍ଟିସ୍‌ ଗୋଗୋଇ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଅଯୋଧ୍ୟା ଜମି ବିବାଦ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେଇଥିବାରୁ ତାଙ୍କ ନାଁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। ତାଙ୍କ ନେତୃତ୍ୱରେ ୫ ଜଣିଆ ସାମ୍ବିଧାନିକ ପୀଠ ଗତ ୯ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାରେ ରାୟ ପ୍ରଦାନ କରି ୧୩୪ ବର୍ଷ ବିବାଦର ପରିସମାପ୍ତି ଘଟାଇଥିଲେ। ସେହିପରି ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କ ପ୍ରବେଶ ଲାଗି ପୂର୍ବ ରାୟର ସମୀକ୍ଷା ପାଇଁ ୭ ଜଣିଆ ବୃହତ୍ତର ପୀଠକୁ ପଠାଇଥିଲେ। ରାଫାଲ ଯୁଦ୍ଧବିମାନ କିଣା ମାମଲାରେ ଅଦାଲତଙ୍କ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନକୁ ସିଜେଆଇଙ୍କ ଖଣ୍ଡପୀଠ ଗୁରୁବାର ଖାରଜ କରି ଦେଇଥିଲେ।

Share