ଶୁଣିଲାନି ପୂର୍ତ୍ତ ବିଭାଗ: ରାସ୍ତା ମରାମତି କଲେ ଅଟୋ ଚାଳକ

ଗୋପ,୧୧।୧୧(ଡି.ଏନ୍‌.ଏ.)- ଗୋପ-କୋଣାର୍କ ପୂର୍ତ୍ତ ରାସ୍ତାର ଗୋପ ବଜାରରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏଥିଲାଗି ଅଧିକାଂଶ ସମୟରେ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି। ବାରମ୍ବାର ଅଭିଯୋଗସତ୍ତ୍ୱେ ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାବେଳେ ସୋମବାର ଜନୈକ ଅଟୋ ଚାଳକ ଏହି ରାସ୍ତାରେ ଥିବା ଖାଲଗୁଡ଼ିକୁ ଇଟା ପକାଇ ମରାମତି କରିଛନ୍ତି। ସୂଚନାଯୋଗ୍ୟ, ତିନିବର୍ଷ ତଳେ ଗୋପ ବଜାରକୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ କଂକ୍ରିଟ ରାସ୍ତା କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ରାସ୍ତାରେ ଏବେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହ ଶହ ପର୍ଯ୍ୟଟକ ପୁରୀ, କୋଣାର୍କ ଯାଉଥିବାବେଳେ ସେମାନଙ୍କ ଲାଗି ଉକ୍ତ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଥିବାରୁ ବିଦେଶୀ ପର୍ଯ୍ୟଟକ ଏହି ରାସ୍ତା ଦେଇ ମଧ୍ୟ ଯିବେ। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ, ପୂର୍ତ୍ତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଅଣଦେଖା କରାଯାଉଥିବା ଗ୍ରାମବାସୀ କହିଛନ୍ତି। ଅଭିଯୋଗ ପ୍ରତି ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ନ ଦେବାରେ ସ୍ଥାନୀୟ ଅଞ୍ଚଳର ଅଟୋଚାଳକ ମାନସ ରଞ୍ଜନ ପରମାଣିକ ସୋମବାର ନିଜସ୍ବ ଅର୍ଥରେ ଇଟା ଆଣି କେତେକ ଖାଲ ମରାମତି କରିଥିଲେ। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନବଘନ ବେହେରାଙ୍କୁ ପଚାରିବାରେ ଖୁବଶୀଘ୍ର ସେ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି।

Share