ଶୁଣିଲାନି ପୋଲିସ: ମଦ ଧରିଲେ ଗ୍ରାମବାସୀ

ଖଇରା,୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଯୋସିଆଁ(କଡମିଆଁ) ଗ୍ରାମରେ ଚୋରା ଦେଶୀମଦ ବିକ୍ରୀ ଦିନକୁ ଦିନ ବଢିଚାଲୁଛି। ଏଭଳିକି ଲକ୍‌ଡାଉନ ସମୟରେ କଟକଣାକୁ ଖାତିର ନ କରି ଦଳ ଦଳ ହୋଇ ଆସି ମଦ ପିଉଥିବାରୁ ଜନସାଧାରଣ ନାନା ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ପଡୋଶୀ ଦଧିବାମନପୁର ଆମ୍ବଗଡିଆର ଗାଁ ଲୋକେ ଭୟ ମଧ୍ୟରେ ରହିଛନ୍ତି। ଗ୍ରାମରେ ଜଣେ ବ୍ୟକ୍ତି ମଦ ବିକ୍ରୀ କରୁଥିବା ନେଇ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ପ୍ରଶାସନକୁ ବହୁ ପୂର୍ବରୁ ଜଣାଇସାରିଛନ୍ତି। ବାରମ୍ବାର ପୋଲିସ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କିଛି ଫଳ ମିଳିଲାନି ା ଯେଉଁ ମାନେ ଥାନାକୁ ଅଭିଯୋଗ କରିବାକୁ ଯାଉଛନ୍ତି ମଦ ବ୍ୟବସାୟୀମାନେ ଜାଣିପାରି ସେମାନଙ୍କୁ ଆକ୍ରମଣ ଧମକ ଦେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଜଣେ ମଦ ବିକ୍ରେତା ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ସହ ଏକ ଜାର୍‌ରେ ମଦ ନେଇ ଗାଡିରେ ଯାଉଥିବା ବେଳେ ଏହି ଯୋସିଆଁ ଗ୍ରାମର କେତେକ ବ୍ୟକ୍ତି ଏକଜୁଟ ହୋଇ ଗାଡି ଅଟକାଇ ଥିଲେ। ହେଲେ ସେମାନେ ଏକ ଭୁଜାଲି ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରିଥିଲେ ା ଅଟକାଇଥିବା ବ୍ୟକ୍ତିମାନେ ପାଟି କରି ଗ୍ରାମର ଅନ୍ୟମାନଙ୍କୁ ଡାକିବା ସମୟରେ ଏହି ଦୁଇଜଣ ବ୍ୟକ୍ତି ଦୌଡି ପଳାଇଥିଲେ ା ପରେ ପଞ୍ଚୟାତ ସମିତିସଭ୍ୟ ମାନସ ମହାପାତ୍ରଙ୍କ ସହଯୋଗକ୍ରମେ ଗ୍ରାମର ବିରେନ୍ଦ୍ର ମହାପାତ୍ର, ଉପେନ୍ଦ୍ର ରାଉତ, ଜଳଧର ରାଉତ, ରବିନାରାୟଣ ପରିଡା, ରନତ୍ାକର ସାହୁ ପ୍ରମୁଖ ଖଇରା ଥାନାକୁ ଜଣାଇବା ପରେ ଖଇରା ପୋଲିସ ଘଟଣାସ୍ଥଳକୁ ଯାଇ ୧୫୦ଲିଟରରୁ ଅଧିକ ମଦ ଜବତ କରି ଖଇରା ଥାନାକୁ ଆଣିଥିଲା ା ଖଇରା ଥାନା ଆଇଆଇସି ସୁବ୍ରତ ବେହେରାଙ୍କ ମୋବାଇଲ ବନ୍ଦ ଥିବା ବେଳେ ମଦ ଜବତ କରିଥିବା ଖଇରା ଥାନା ଏସ୍‌ଆଇ ସୁଜାତା ମଲ୍ଲିକଙ୍କୁ ପଚାରିବାରେ କେସ୍‌ ପଞ୍ଜିକରଣ ଦାୟିତ୍ୱ ଆଇଆଇସିଙ୍କର ା ଏଣୁ ସେ ଏ ବିଷୟରେ କହିପାରିବେ ବୋଲି କହିଛନ୍ତି ା ଯଦି ମଦ ବିକ୍ରେତାଙ୍କୁ ଖସାଇବାକୁ ପୋଲିସ କମ ମଦ ଧରା ପଡିଥିବା ଦର୍ଶାଇ ମାମଲା କରେ ବା ଜମା ମାମଲା ନ କରେ ତେବେ ସମୂହ ଗ୍ରାମବାସୀ ସାମାଜିକ ଦୂରତ୍ୱ ରକ୍ଷା କରି ଥାନା ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।