Categories: ଖେଳ

ଶୁବମନ ଗିଲ୍‌ଙ୍କ ପାଇଁ ସତର୍କ ଘଣ୍ଟି

ଡୋମିନିକା,୧୭।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଇନିଂସ ଏବଂ ୧୪୧ ରନ୍‌ରେ ବିଜୟୀ ହୋଇ ସିରିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ଯଶାସ୍ବ ଜୟସ୍ବାଲ ୧୭୧ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ଯଶସ୍ବୀଙ୍କ ଇନିଂସ ଅଧିନାୟକ ରୋହିତ ଶର୍ମାଙ୍କୁ ନିଶ୍ଚିତ ଭାବେ ଆରାମ ଦେଇଛି, କିନ୍ତୁ ଏହି ଟେଷ୍ଟ ମ୍ୟାଚରେ ଶୁବମନ ଗିଲଙ୍କ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆର ଟେନସନ ନିଶ୍ଚିତ ଭାବେ ବୃଦ୍ଧି ପାଇଛି।
୨୦୨୩ରେ ଏପର୍ଯ୍ୟନ୍ତ ନିଜ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିବା ଗିଲ ଟେଷ୍ଟ ଫର୍ମାଟରେ ଏସିଆ ବାହାରେ ଗତ ୬ ଇନିଂସରେ ବହୁତ ଖରାପ ରେକର୍ଡ କରିଛନ୍ତି। ଗିଲ ଏପର୍ଯ୍ୟନ୍ତ ଏସିଆ ବାହାରେ ୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ କେବଳ ୨ ଅର୍ଦ୍ଧଶତକୀୟ ଇନିଂସ ସ୍କୋର କରିବାରେ ସଫଳ ହୋଇଛନ୍ତି। ଗିଲ ଏପର୍ଯ୍ୟନ୍ତ ଟେଷ୍ଟ ଫର୍ମାଟରେ ୨ ଶତକ ଅର୍ଜନ କରିଛନ୍ତି।
ଟେଷ୍ଟ କ୍ରିକେଟରେ ଗିଲ ୨୦୨୦-୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ମେଲବୋର୍ନ ଗ୍ରାଉଣ୍ଡରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହା ପରେ ସିରିଜର ଦ୍ୱିତୀୟ ଟେଷ୍ଟରେ ଗିଲଙ୍କ ବ୍ୟାଟ ସହିତ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଥିଲା। ଏଥି ସହିତ ବ୍ରିସବେନ ଟେଷ୍ଟ ମ୍ୟାଚର ଶେଷ ଇନିଂସରେ ଗିଲ ୯୧ ରନ ସ୍କୋର କରିଥିଲେ। ସେବେଠାରୁ ଏସିଆ ବାହାରେ ତାଙ୍କ ବ୍ୟାଟିଂ ରେକର୍ଡ ବହୁତ ଖରାପ ଥିଲା।
ଯଦି ଗିଲଙ୍କ ଏସିଆ ବାହାରେ ଶେଷ ୬ ଟେଷ୍ଟ ଇନିଂସକୁ ଦେଖାଯାଏ, ତେବେ ସେ ୬, ୧୮, ୧୩, ୪, ୧୭, ୮ ଏବଂ ୨୮ ରନ ସ୍କୋର କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଗିଲ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଏହା ପରେ ଦଳକୁ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ପରବର୍ତ୍ତୀ ଟେଷ୍ଟ ସିରିଜ ଖେଳିବାକୁ ପଡିବ।

Share