‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ ଟ୍ରେଲର ରିଲିଜ୍‌ ପରେ ଆୟୁଷ୍ମାନ୍‌ଙ୍କ ମାତାପିତା କହିଲେ ଆମେ ଗର୍ବିତ

ଅଭିନେତା ଆୟୁଷ୍ମାନ ଖୁରାନା ବର୍ତ୍ତମାନ ବଲିଉଡ୍‌ର ଟପ୍‌ ଲିଷ୍ଟ୍‌ରେ ଅଛନ୍ତି। ଯେ କି ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି। ଇତିମଧ୍ୟରେ ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଦର୍ଶକେ ଏହାକୁ ବହୁ ପସନ୍ଦ ମଧ୍ୟ କରିଛନ୍ତି। ଖୋଦ୍‌ ଆୟୁଷ୍ମାନଙ୍କ ପରିବାର ଲୋକେ ଟ୍ରେଲରଟିକୁ ଖୁବ୍‌ ପସନ୍ଦ କରିଛନ୍ତି। ପୁଅର ଅଭିନୟ ଦେଖି ପିତା ପି. ଖୁରାନା, ମା’ ପୁନମ୍‌ ଖୁସିରେ ଆତ୍ମହରା ହୋଇଉଠିଛନ୍ତି। ଫିଲ୍ମର ଟ୍ରେଲରଟିକୁ ଥରେ ନୁହେଁ ବହୁବାର ଦେଖିସାରିଲେଣି।

ଆୟୁଷ୍ମାନ୍‌ କୁହନ୍ତି, ଯେତେବେଳେ ମୋ’ ପରିବାର ଲୋକେ ଫିଲ୍ମର ଟ୍ରେଲରଟିକୁ ଉପଭୋଗ କରୁଥିଲେ ମୋ’ ଅଭିନୟ ସଫଳ ହେବା ସହ ପୂରା ଟିମ୍‌ର ପରିଶ୍ରମ ସାର୍ଥକ ହେଲା ବୋଲି ଅନୁଭବ କଲି। ସେହିପରି ତାଙ୍କ ମାତା ପିତା ମଧ୍ୟ ପୁଅର ଅଭିନୟ ଦେଖି ନିଜକୁ ଗର୍ବିତ ମନେ କରିଛନ୍ତି। ଅଭିନୟ ମାଧ୍ୟମରେ ଆୟୁଷ୍ମାନ ସମାଜ ସହିତ ଯୋଡ଼ା ବାର୍ତ୍ତା ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଫିଲ୍ମଟି ଫେବୃୟାରୀ ୨୧ରେ ରିଲିଜ୍‌ ହେବ। ଏଥିରେ ଆୟୁଷ୍ମାନ ପୁରୁଷ ସମଲିଙ୍ଗୀ ଭୂମିକାରେ ଅଭିନୟ କରୁଥିବା ବେଳେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା ଏବଂ ଗଜରାଜ ମଧ୍ୟ ନଜର ଆସିବେ।

Share