ଶୃଙ୍ଖଳିତ ଜିଲା ଭାବରେ ଗଢି ତୋଳିବା ଆଭିମୁଖ୍ୟ ପ୍ରକାଶ କଲେ ଏସ୍‌ପି

ନୂଆପଡା ଅଫିସ,୨୮ା୮-ନୂଆପଡା ଏକ ଉପାନ୍ତ ତଥା ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲା । ଏଠାରେ ମାଓବାଦୀ, ଦାଦନ ଭଳି ସମସ୍ୟା ରହିଥିବାବେଳେ ଲୋକଙ୍କ ସାଧାରଣ ଜୀବନ ଶୈଳି ନିଆରା। ଏହାକୁ ଏକ ଶୃଙ୍ଖଳିତ ଜିଲା ଭାବେ ଗଠନ କରାଯିବ। ଏଥିପାଇଁ ପୋଲିସ ଲୋକଙ୍କ ନିକଟତର ହୋଇ କାମ କରିବ ବୋଲି ନୂତନ ଭାବେ ଯୋଗଦେଇଥିବା ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି। ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା ବେଳେ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ଏସ୍‌ପି ସ୍ମିତ ପରମାରଙ୍କ ବଦଳି ପରେ ଏସ୍‌ପି ବିନୀତ ଅଗ୍ରୱାଲ ଏଠାରେ ଯୋଗ ଦେଇଛନ୍ତି । ତାଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ମାଓବାଦୀ ଅଧ୍ୟୁଷିତ ଜିଲା ଭାବେ ଏଠିକାର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବାର ଆବଶ୍ୟକତା ରହିଛି। ଏଠିକାର ଟ୍ରାଫିକ ସମସ୍ୟା, ଅପରାଧ ନିୟନ୍ତ୍ରଣ, ମହିଳାଙ୍କୁ ନ୍ୟାୟ ସମ୍ପର୍କୀତ ମାମଲା ଉପରେ ବିଶେଷ ଧ୍ୟାନ ଦିଆଯିବ। ସର୍ବୋପରି ଏହାକୁ ଏକ ସୁସଙ୍ଗଠିତ ଏବଂ ଶୃଙ୍ଖଳିତ ଜିଲା ଭାବେ ଗଠନ କରାଯିବାକୁ ସମସ୍ତଙ୍କ ଉଦ୍ୟମ ଦରକାର ବୋଲି କହିଥିଲେ। ସାକ୍ଷାତକାର ସମୟରେ ସ୍ଥାନୀୟ ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡ ମଧ୍ୟ ଉପସ୍ଥିତ ଥିଲେ।