ଶେରଗଡ଼ର କୌଣସି ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ସେବା କେନ୍ଦ୍ର ପାଲଟିଛି ଭରସା, ଟଙ୍କା ପାଇଁ ଲୋକଙ୍କ ଭିଡ଼

ଶେରଗଡ଼,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଗତ କିଛି ଦିନ ହେଲା କୌଣସି ଏଟିଏମ୍‌ରେ ଟଙ୍କା ନାହିଁ। କେବଳ ବ୍ୟାଙ୍କରୁ ଗ୍ରାହକମାନେ ଟଙ୍କା ଉଠାଇ ନେଇପାରୁଛନ୍ତି। ଫଳରେ ଶେରଗଡ଼ ଓ ଆଖପାଖ ଅଞ୍ଚଳରେ ଟଙ୍କା ପାଇଁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ଦୁଇଦିନ ହେଲା ଶେରଗଡ଼ରେ ଏପରି ବ୍ୟବସ୍ଥା ଲାଗି ରହିଥିବା ବେଳେ ସ୍ଥାନୀୟ ବଡ଼ ଦାଣ୍ଡ ସାହିରେ ଥିବା ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ସମସ୍ତଙ୍କ ସାଥି ସାଜି ସେବା ଯୋଗାଉଛି। ଫଳରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏଥିସହ ସମସ୍ତେ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ଧନ୍ୟବାଦ ଦେଇଛନ୍ତି। ସରକାର ପ୍ରତି ବ୍ୟାଙ୍କରେ ଓ ଏଟିଏମ୍‌ରେ ଟଙ୍କା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ ଉକ୍ତ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଫଳରେ ଏପରି ଅବସ୍ଥା ସୃଷ୍ଟି ହୋଉଛି। ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ବିଡିଓ ସୁରଞ୍ଜନ କୁମାର ସାହୁ କୁହନ୍ତି, ଆମେ ଏ ସମ୍ପର୍କରେ ଉପର ଅଧିକାରୀଙ୍କୁ ଜଣାଇଛୁ। ଖୁବ୍‌ଶୀଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।