ଶେରଗଡ଼ ବ୍ଲକରେ ବନ୍ଦ ହେଲାଣି ୩ ବିଦ୍ୟାଳୟ

ଶେରଗଡ,୨୪ା୮(ଡି.ଏନ.ଏ.)-ଶେରଗଡ଼ ବ୍ଲକରେ ଚଳିତବର୍ଷ ୩ ବିଦ୍ୟାଳୟକୁ ଜିଲା ଶିକ୍ଷା ବିଭାଗ ବନ୍ଦ କଲାଣି। ଗ୍ରାମବାସୀଙ୍କ ସହ ଆଲୋଚନା ନ କରି ଏକତରଫା ଭାବେ ଜିଲା ଶିକ୍ଷା ବିଭାଗ ଏହିସବୁ ବିଦ୍ୟାଳୟକୁ ବନ୍ଦ କରିଦେଇଛି ବୋଲି ନରେନ୍ଦ୍ରପୁର ସରପଞ୍ଚ ବିନୋଦ ବେହେରା କହିଛନ୍ତି।
ପ୍ରକାଶ ଯେ, ଗତ ଜୁଲାଇ ମାସରେ ଶେରଗଡ ବ୍ଲକର ରାଜେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ, ଖୋଲ ପ୍ରାଥମିକ ବିଦ୍ୟାଳୟକୁ ଜିଲା ଶିକ୍ଷା ବିଭାଗ ବନ୍ଦ କରିଦେଇଥିଲା। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ଯାଇ ଜଏନ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଉକ୍ତ ବିଦ୍ୟାଳୟରେ କାମ କରୁଥିବା ଶିକ୍ଷକମାନଙ୍କୁ ଅନ୍ୟ ବିଦ୍ୟାଳୟରେ ଥଇଥାନ କରାଯାଇଛି। ସେହିପରି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶହେବର୍ଷର ଶେରଗଡ ସଂସ୍କୃତ ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ମିଶାଇ ଦିଆଯାଇଛି। ପଞ୍ଚାୟତ ସମିତିର ସ୍ବୀକୃତି ନ ନେଇ କିପରି ବିଦ୍ୟାଳୟ ଗୁଡିକୁ ବନ୍ଦ କରାଗଲା ସେନେଇ ଶେରଗଡ ପଞ୍ଚାୟତ ସମିତି ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସଂସ୍କୃତ ବିଦ୍ୟାଳୟ ବନ୍ଦ କରିବା ଦ୍ୱାରା ଆମ୍ଭ ଶେରଗଡର ୧୦୦ ବର୍ଷର ସଂସ୍କୃତ ଶିକ୍ଷା ଲୋପ ପାଇଯିବ ବୋଲି ଅବସର ପ୍ରାପ୍ତ ପ୍ରଧାନପଣ୍ଡିତ ସିମାଞ୍ଚଳ ମହାପାତ୍ର କହିଛନ୍ତି। ଏହାକୁ ଜିଲା ଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟକ୍ଷମ ନକଲେ ଆମେ ବିଧାୟକ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରିବୁ ବୋଲି କହିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଦୃଷ୍ଠି ଦିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ସେମାନେ କହିଛନ୍ତି।