ଶେଷରେ କପିଳାସ ଗଲା ନରହନ୍ତା ହାତୀ

ବନ୍ତଳା/ତାଳଚେର,୨୨।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ଶେଷରେ କପିଳାସ ପଠାଯାଇଛି। ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ ବି ରାତିରେ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି। ଢେଙ୍କାନାଳ କପିଳାସସ୍ଥିତି ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟରକୁ ନିଆଯିବା ପାଇଁ ନରହନ୍ତା ଦନ୍ତାକୁ ସୁରକ୍ଷିତ ଭାବରେ ଏକ ହାଇଆ ହେବି ଟ୍ରକରେ ବୁଧବାର ସକାଳେ ଲୋଡ୍‌ କରାଯାଇ ପଠାଯାଇଛି। ସକାଳ ୭ରୁ ଆରମ୍ବ ହୋଇ ୯.୩୦ରେ ଏହି ପ୍ରକ୍ରିୟା ସରିଥିଲା। ସୂଚନା ଅନୁଯାୟୀ, ଉକ୍ତ ନରହନ୍ତା ଦନ୍ତାକୁ କାବୁ କରିବାକୁ ଶୁକ୍ରବାରଠାରୁ ବନ ବିଭାଗ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିଲା। ଟ୍ରାଙ୍କୁଲାଇଜ ପରେ ରାତିରେ ହାତୀକୁ ଚେନରେ ବାନ୍ଧି ଏମସିଏଲ୍‌ର କ୍ରେନ ସାହାଯ୍ୟରେ ଟ୍ରକ ଉପରକୁ ଚଢ଼ାଯାଇଥିଲା। ତେବେ ଗୋଡ଼ରେ ବନ୍ଧା ହୋଇଥିବା ଚେନ ଦନ୍ତା ଛିଣ୍ଡାଇଦେବା ସହ ଟ୍ରକ ଡାଲାକୁ ଭାଙ୍ଗି ଦେଇଥିଲା। ଫଳରେ ବିଭାଗୀୟ ଅଧିକାରୀ ହାତୀକୁ ଟ୍ରକ୍‌କୁ ତଳକୁ ଓହ୍ଲାଇ ଦେବାକୁ ବାଧ୍ୟ ହୋଇଥିଲେ।

Share