ଶେଷରେ ମାନୁଛି ପାକିସ୍ତାନ: ବିଶ୍ୱ ଆମ କଥା ନୁହେଁ ଭାରତ କଥା ଶୁଣୁଛି

ଇସ୍‌ଲାମାବାଦ,୧୨।୯: ଜମ୍ମୁ-କଶ୍ମୀର ମାମଲାରେ ଏବେ ପାକିସ୍ତାନ ଯେ ଏକୁଟିଆ ହୋଇଯାଇଛି ତାହା ସେ ଉବଲବ୍ଧି କରି ସାରିଲାଣି। ନିକଟରେ ପାକିସ୍ତାନ ବୈଦେଶିକମନ୍ତ୍ରୀ କଶ୍ମୀର ଭାରତର ରାଜ୍ୟ ବୋଲି କହିଥିଲେ। ଆଉ ଏବେ ପାକିସ୍ତାନର ଗୃହମନ୍ତ୍ରୀ ବି କହିଛନ୍ତି କି କଶ୍ମୀର ମାମଲାରେ ବିଶ୍ୱ ପାକିସ୍ତାନ କଥା ନ ଶୁଣି ବରଂ ଭାରତ କଥା ଶୁଣୁଛି। ସେ କହିଛନ୍ତି ଏବେ କେହି ଆଉ ପାକିସ୍ତାନ କଥା ଶୁଣୁ ନାହାଁନ୍ତି ଆଉ ଯିଏ ଶୁଣୁଛି ସେ ଅବିଶ୍ୱାସ କରୁଛି। ପାକିସ୍ତାନ ଗୃହମନ୍ତ୍ରୀ ବ୍ରିଗେଡିୟର ଏଜାଜ ଅହମ୍ମଦ ଶାହ ନିକଟରେ ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। ସେ କହିଛନ୍ତି ଏହା ଆଜିର ଘଟଣା ନୁହେଁ। ଯେଉଁମାନେ ପାକିସ୍ତାନର ଶାସନ ଭାର ସମ୍ଭାଳିଛନ୍ତି ସେମାନେ ବିଶ୍ୱ ଦରବାରରେ ପାକିସ୍ତାନର ଚିତ୍ର ଖରାପ କରି ରଖିଛନ୍ତି। ଏଥିପାଇଁ ସେ ଜେନରାଲ ଜିୟା ଉଲ ହକ୍‌, ପରଭେଜ ମୁଶରଫଙ୍କଠାରୁ ନେଇ ଇମ୍ରାନ ଖାଁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୋଷ ଦେଇଛନ୍ତି। ଆହୁରି ମଧ୍ୟ ପାକିସ୍ତାନ ଗୃହମନ୍ତ୍ରୀ ମୋଷ୍ଟ ଓ୍ବାଣ୍ଟେଡ୍‌ ହାଫିଜ ସୟିଦଙ୍କୁ ସାହେବ ବୋଲି ସମ୍ବୋଧନ କରିବା ସହ ସେ ପାକିସ୍ତାନ ବିରୋଧରେ କିଛି କରି ନାହାଁନ୍ତି ବୋଲି କହିଛନ୍ତି।

Share