Categories: ଜାତୀୟ

ଶେଷ ଇଚ୍ଛା ଜଣାଉନାହାନ୍ତି ନିର୍ଭୟା ବଳାତ୍କାରୀ

ନୂଆଦିଲ୍ଲୀ,୨୪ା୧:ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବାକୁ ଥିବାବେଳେ ଏହାର ୯ ଦିନ ପୂର୍ବରୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କର ଶେଷ ଇଚ୍ଛା ପଚାରିଥିଲେ। ସେମାନେ ପରିବାର ସଦସ୍ୟଙ୍କୁ ଭେଟିବାକୁ ଚାହାନ୍ତି କିମ୍ବା ସେମାନଙ୍କ ସମ୍ପତ୍ତି କାହା ନାଁରେ ଓ୍ବିଲ୍‌ କରିବାର ଅଛି କି ବୋଲି ପଚରାଯାଇଥିଲା। ଏ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ସେମାନଙ୍କୁ କୁହାଯାଇଥିଲା। ତେବେ ଅପରାଧୀମାନେ ଏପର୍ଯ୍ୟନ୍ତ କିଛି ଜଣାଇ ନାହାନ୍ତି। ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ଜାଣିବାକୁ ଆମେ ଅପେକ୍ଷା କରିଛୁ ବୋଲି ଅତିରିକ୍ତ ଆଇଜି ରାଜକୁମାର କହିଛନ୍ତି। ଶେଷ ଇଚ୍ଛା ଜଣାପଡ଼ିବା ପରେ ତାହା ପୂରଣ କରାଯାଇପାରିବ କି ନାହିଁ ସେନେଇ ଜେଲ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଓ ରାଜକ୍ଷମା ଆବେଦନକୁ ନେଇ ୪ ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ କୁମାର ସିଂ ଏବଂ ପବନ ଗୁପ୍ତାଙ୍କ ଫାଶୀ ବିଳମ୍ବ ହେଉଛି। ଫେବୃୟାରୀ ୧ରେ ଫାଶୀ ଦେବା ପାଇଁ ଦିଲ୍ଲୀ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି।
ମୃତ୍ୟୁଦଣ୍ଡ ଓ୍ବାରେଣ୍ଟ ଜାରି କରିଥିବା ଦିଲ୍ଲୀ କୋର୍ଟର ଅତିରିକ୍ତ ଦୌରାଜଜ୍‌ ସତୀଶ କୁମାର ଆରୋରାଙ୍କୁ ସୁପ୍ରିମକୋର୍ଟର ଅତିରିକ୍ତ ରେଜିଷ୍ଟ୍ରାର ଭାବେ ବର୍ଷକ ପାଇଁ ଡେପୁଟେଶନ୍‌ରେ ବଦଳି କରାଯାଇଛି। ବଦଳି ପୂର୍ବରୁ ପଟିଆଲା ହାଉସ୍‌ କୋର୍ଟରେ ବିଚାରପତି ଥିବା ଆରୋରା ନିର୍ଭୟା ମାମଲା ସମେତ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ପକ୍ଷରୁ ଦାଏର ମାମଲାଗୁଡ଼ିକର ଶୁଣାଣି କରୁଥିଲେ। ନିର୍ଭୟା ମାମଲାରେ ଅନ୍ୟାନ୍ୟ ଶୁଣାଣି ନୂଆ ବିଚାରପତି କରିବେ।

Share