ଶେଷ ଇଚ୍ଛା ପୂରଣ କରିବ ଆମ୍ବୁଲାନ୍ସ

ସିଡନି,୨୬।୭: କୁହାଯାଏ ମରିବାକୁ ଥିବା ବା ମୃତବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ଭଲ। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ତାଙ୍କୁ ଆମ୍ବୁଲନ୍ସ ଜରିଆରେ ହସ୍ପିଟାଲ ନେବା ପୂର୍ବରୁ ସମୁଦ୍ର କୂଳକୁ ନିଆଯାଇଥିଲା। କାରଣ ତାଙ୍କର ଶେଷ ଇଚ୍ଛା ଥିଲା ମରିବା ପୂର୍ବରୁ ସେ ସମୁଦ୍ର କୂଳକୁ ଯିବେ। ଏବେ ଉକ୍ତ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାର ଏବେ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଶେଷ ଇଚ୍ଛା ପୂରଣ କରିବାକୁ ଏବେ ସରକାର ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଚଳାଇବେ ବୋଲି କହିଛନ୍ତି। ତେବେ ଘଟଣାଟି ହେଉଛି ୨୦୧୭ ମସିହାର। ଜଣେ ଆମ୍ବୁଲାନ୍ସ କର୍ମଚାରୀ କୁଇନ୍ସଲାଣ୍ଡର ସେହି ମହିଳାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କୁ ସମୁଦ୍ର କୂଳକୁ ନେଇ ଯାଇଥିଲେ ଓ ମହିଳା ଜଣଙ୍କ ଷ୍ଟ୍ରେଚରରେ ବସି ସମୁଦ୍ର ଦେଖୁଥିବା ବେଳେ ତାଙ୍କର କିଛି ଫଟୋ ଉଠାଇଥିଲେ। ଏହି ମହିଳାଙ୍କ ଫଟୋ ଦେଖିବା ପରେ ଏଭଳି ବ୍ୟକ୍ତିଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ସରକାର ଏବେ ଆମ୍ବୁଲାନ୍ସ ଚଳାଇବାକୁ ସ୍ଥିର କରିଛନ୍ତି।

ଚଳିତ ସପ୍ତାହରେ ଏହି ଯୋଜନା କରାଯାଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଷ୍ଟିଭନ ମାଇଲ୍ସ କହିଛନ୍ତି ଏହା ଏକ କଠିନ କାମ। କାରଣ ଯେଉଁମାନେ ଶେଷ ଇଚ୍ଛା ପ୍ରକାଶ କରିବେ ସେମାନେ ନା ଚାଲିବୁଲିପାରୁ ଥିବେ ନା ସେମାନେ ସୁସ୍ଥ ଥିବେ ଏମାନଙ୍କୁ ଅକ୍ସିଜେନର ସହାୟତା ଦରକାର ଥିବା ବେଳେ ଏମାନଙ୍କ ଇଚ୍ଛା ପୂରଣ କରିବାର କାମ ସାମାନ୍ୟ କଠିନ ବୋଲି ସେ କହିଛନ୍ତି। ତେବେ ଯେଉଁମାନେ ନିଜ ନାତୁଣୀନାତିଙ୍କ ସହ ମିଶିବାକୁ ଚାହୁଁଥିବେ, ପାଳିତ ପଶୁଙ୍କୁ ଦେଖିବାକୁ ଚାହୁଁଥିବେ, ଆର୍ଟ ଗ୍ୟାଲେରୀ ଅବା ମ୍ୟୁଜିୟମ ବୁଲିବାକୁ ଇଚ୍ଛା କରୁଥିବେ ସେମାନଙ୍କୁ ଏହି ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦିଆଯିବ ବୋଲି କୁଯାହାଇଛି।

Share