ବରଗଡ଼ ଅଫିସ୍,୧୬।୪: କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହେଲେଣି। ମାତ୍ର କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ମଙ୍ଗଳବାର ବରଗଡ଼ ଲୋକମଣ୍ଡପ ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି, ବିଜେଡି ସରକାର ଆସିବାର ପ୍ରଥମ ଦିନରେ ବାକି ସବୁ ଚାଷୀଙ୍କୁ ୨ଟି କିସ୍ତିର ୧୦ହଜାର ଟଙ୍କା ମିଳିବ। ସେହିପରି ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍ଡିଏ ସରକାରକୁ ଟାର୍ଗେଟ୍ କରି ସେ ଏପରି କହିଛନ୍ତି। ଗତ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଭାଜପା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ କହିଥିଲା। କିନ୍ତୁ କିଛି ସୁଫଳ ମିଳି ନ ଥିଲା । ଅନ୍ୟପଟେ ୨୦୧୬ ମସିହାରେ ସେ କେନ୍ଦ୍ରକୁ ଲେଖିଥିବାବେଳେ ବିଧାନସଭା ଗୃହ କମିଟି ମଧ୍ୟ କେନ୍ଦ୍ରକୁ ଫେରାଦ ହୋଇଥିଲା । ମାତ୍ର ୨ବର୍ଷ ବିତିଗଲା ହେଲେ ସେଥିପାଇଁ କେନ୍ଦ୍ର ସରକାର ୨ମିନିଟ୍ ସମୟ ଦେଲେ ନାହିଁ କି ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେଥିପ୍ରତି ମୁହଁ ଖୋଲିଲେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।