ଶେଷ ପର୍ଯ୍ୟାୟରେ ଚାରିନାହାକା କାମ

ପୁରୀ ଅଫିସ,୨୩ା୫: ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ଦାର ଚାଲିଛି। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ରଥଖଳାରେ କାମ ଜାରି ରହିଥିବାବେଳେ ଶୁକ୍ରବାର ସୁଦ୍ଧା ମୋଟ ୪୨ ଚକ ମଧ୍ୟରୁ ୩୧ଟି ପ୍ରସ୍ତୁତ ହୋଇଯାଇଛି। ଆଉ ୧୧ଟିର କାମ ଜାରି ରହିଛି। ସେହିପରି ତାଳଧ୍ୱଜ ରଥର ୭ଟି ଅଖ ସମ୍ପୂର୍ଣ୍ଣ ହୋଇଥିବାବେଳେ ଦେବଦଳନର ୬ ଏବଂ ନନ୍ଦିଘୋଷର ୬ଟି ଅଖ କାମ ସରିଛି। ଚାରିନାହାକା କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ୨ଟି ଲେଖାଏ ଗରଗରା କାମ ଚାଲିଛି। ଦୋଳବେଦି ପରିସରରେ କରତି ସେବକ ଗୟଳ ଚିରଟ କରୁଛନ୍ତି। ମୋଟ ୬ଟି ଗୟଳ ମଧ୍ୟରୁ ୨ଟି ଚିରଟ କାର୍ଯ୍ୟ ଶେଷ ହୋଇଛି। ଦୋଳବେଦି ପରିସର ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଅଖକଣ୍ଟା, ଚଉରସ କଣ୍ଟା, ଆଗପାତେଳି କଣ୍ଟା ତିଆରି କରୁଛନ୍ତି। ସବୁଦିନ ଭଳି ଶୁକ୍ରବାର କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ନିୟୋଜିତ ସେବକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।