ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲାରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଭିନ୍ନ ମତଦାନ କେନ୍ଦ୍ରକୁ ରବିବାର ଠାରୁ ନିର୍ବାଚନ ପରିଚାଳନା ଅଧିକାରୀମାନେ ଯିବେ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମତଦାନ ପାଇଁ ଆବଶ୍ୟକ ସରଞ୍ଜାମ ପୋଲିଂ ଅଧିକାରୀଙ୍କୁ ପ୍ରଦାନ କରାଯିବ। ତାଳଚେର ନିର୍ବାଚନ ପରିଚାଳନା କରିବା ପାଇଁ ତାଳଚେର ମହାବିଦ୍ୟାଳୟରୁ ସରଞ୍ଜାମ ପ୍ରଦାନ କରିବାକୁ ଥିବାବେଳେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପାଇଁ ଆଠମଲ୍ଲିକ କଲେଜରୁ ମତଦାନ ପାଇଁ ପ୍ରସ୍ତୁତ ସରଞ୍ଜାମ ପୋଲିଂ ପାର୍ଟିଙ୍କୁ ଦିଆଯିବ। ସେହିପରି ପାଲଲହଡ଼ା ଉପଜିଲାପାଳ କାର୍ଯ୍ୟାଳୟ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପୋଲିଂ ପାର୍ଟିଙ୍କୁ ସରଞ୍ଜାମ ପ୍ରଦାନ କରାଯିବ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୧୧୬୩ ମତଦାନ କେନ୍ଦ୍ରରେ ଜିଲାର ୫ଟି ନିର୍ବାଚନ ମଣ୍ଡଳୀର ମତଦାନ ଅନୁଷ୍ଠିତ ହେବ। ନକ୍ସଲ ପ୍ରବଣ ଅଞ୍ଚଳ ପାଲଲହଡ଼ା ଓ ଆଠମଲି୍ଲକ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ଯିବାକୁ ଥିବା ପୋଲିଂ ପାର୍ଟିଙ୍କୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଆଯିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଜିଲାରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୧୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଉପରେ ଜିଲା ନିର୍ବାଚନ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ରଖିବେ ବୋଲି କୁହାଯାଇଛି।

Share