ଶେଷ ପର୍ଯ୍ୟାୟରେ ସାନଛତା ମଠ ଉଚ୍ଛେଦ: ଶନିବାର ଭଙ୍ଗାଯିବ ଘରୋଇ କୋଠା

ପୁରୀ ଅଫିସ, ୧୩ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛିି। ମଙ୍ଗୁ ମଠର ବ୍ୟବସାୟିକ କୋଠା ଭାଙ୍ଗିବା ପରେ ତିନିଦିନ ଧରି ଦୋଳବେଦି କୋଣରେ ଥିବା ସାନଛତା ମଠ ଭଙ୍ଗାଯାଉଛିି। ଶୁକ୍ରବାର ତୃତୀୟ ଦିନରେ ଏହି ମଠ ଉଚ୍ଛେଦ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସାନଛତା ମଠର ଅଳ୍ପ କିଛି ଅଂଶ ଭଙ୍ଗାଯିବା ସହ ଘରୋଇ କୋଠା ଉଚ୍ଛେଦ କରିବ ପ୍ରଶାସନ। ଅନ୍ୟପକ୍ଷରେ ଯେଉଁମାନେ ଜମି ଦେଇ ସାରିଛନ୍ତି ସେମାନେ ଘର ଖାଲି କରୁଛନ୍ତି।
ଗତ ଦୁଇଦିନ ପରି ଶୁକ୍ରବାର ବି ସାନଛତା ମଠ ଭଙ୍ଗା ଯାଇଥିଲା। ଗୁରୁବାର ଯେଉଁଠୁ ଉଚ୍ଛେଦ ଅଟକିଥିଲା ସେହିଠାରୁ ହିଁ ଆରମ୍ଭ ହୋଇଥିଲା। ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୫ ଜଣ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହା ଭଙ୍ଗା ଯାଇଥିଲା। ଏଥିରେ ୩ଟି ଜେସିବି ନିୟୋଜିତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ବନ୍ଦ ହେବା ବେଳକୁ ମଠର ପ୍ରାୟ ୯୦ ପ୍ରତିଶତ ଭଙ୍ଗା ସରିଥିଲା। ଗାଦିଘର, ମନ୍ଦିରକୁ ବାଦ୍‌ ଦିଆଯାଇ ଅନ୍ୟ କୋଠା ଭଙ୍ଗାଯାଇଛିି। ଶନିବାର ଅଳ୍ପ ଯାହା କିଛି ବଳକା ରହିଛି ତାହା ଉଚ୍ଛେଦ କରାଯିବ। ଅପରାହ୍ନ ପ୍ରାୟ ୫ଟାରେ ଜିଲାପାଳ ବଲୱନ୍ତ ସିଂ ଏବଂ ଏସ୍‌ପି ଉମାଶଙ୍କର ଦାଶ ଘଟଣାସ୍ଥଳକୁ ଯାଇ ଉଚ୍ଛେଦ କାର୍ଯ୍ୟ ଦେଖିଥିଲେ। ପୂର୍ବରୁ ଆଢୁଆଳରେ ରହିଯାଉଥିବା ଦୋଳବେଦି ସାନଛତା ମଠ ଭଙ୍ଗାଯିବା ପରେ ଏବେ ସ୍ପଷ୍ଟ ଦେଖାଯାଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ସାନଛତା ମଠ ମଧ୍ୟରେ ରହିଥିବା ଘରୋଇ କୋଠା ଶନିବାର ଭଙ୍ଗାଯିବ ବୋଲି ଜଣାପଡିଛିି। ଏହି ତିନି ମହଲା କୋଠାର ସମସ୍ତ ଆସବାବପତ୍ର ଖାଲି କରି ଦିଆଯାଇଛି। ଅନ୍ୟପକ୍ଷରେ ଯେଉଁମାନେ ସରକାରଙ୍କୁ ସେମାନଙ୍କ ଜମି ବିକ୍ରି କରିସାରିଛନ୍ତି ସେମାନେ ଘର ଖାଲି କରୁଛନ୍ତିି। ସେହିପରି ସୁରକ୍ଷା ଜୋନ ମଧ୍ୟରେ ଥିବା ଘରୋଇ ପ୍ଲଟ ମଧ୍ୟରୁ ୮୦ ପ୍ରତିଶତର ସେଲ୍‌ଡିଡ କରାଯାଇଛି। ଆହୁରି ୨୦ ପ୍ରତିଶତ ପ୍ଲଟର ବିକ୍ରି କବଲା ହୋଇପାରି ନାହିଁ। ଏଥିମଧ୍ୟରୁ କିଛି ପ୍ଲଟର କାଗଜପତ୍ର ପ୍ରସ୍ତୁତ ଚାଲିଛିି। ଖୁବ୍‌ ଶୀଘ୍ର ଏହାର କବଲା ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share