Categories: ଜାତୀୟ

ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର ଜୋର୍‌ଦାର

ନୂଆଦିଲ୍ଲୀ,୧୬ା୫: ଲୋକ ସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପୂର୍ବରୁ ଭିନ୍ନ ଭିନ୍ନ ସ୍ଥାନରେ ଏକାଧିକ ସଭା ଅନୁଷ୍ଠିତ ହୋଇଥିଲା। ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୫୯ଟି ଆସନରେ ଭୋଟଗ୍ରହଣ କରାଯିବ। ଏହିସବୁ ଆସନଗୁଡିକର ଫଳାଫଳ ନିର୍ଣ୍ଣାୟକ ଭୂମିକା ନେବାକୁ ଥିବାରୁ ପ୍ରମୁଖ ଦଳଗୁଡିକ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାର ପଲିଗଞ୍ଜରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ସହ ଝାଡଖଣ୍ଡର ଦେଓଘର, ପଶ୍ଚିମବଙ୍ଗର ହାସନାବାଦ ଏବଂ ଡାଇମଣ୍ଡ ହାର୍ବର ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। ସେହିପରି ଭାଜପା ଅଧ୍ୟକ୍ଷ ଅମିତ ଶାହା ମଧ୍ୟପ୍ରଦେଶର ଧର୍‌ ଏବଂ ଅଲିରାଜପୁରରେ, ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ, ଯୋଗୀ ଆଦିତ୍ୟନାଥ ଏବଂ ମନୋଜ ତିଓ୍ବାରୀ ବିଭିନ୍ନ ସଭାରେ ଉଦ୍‌ବୋଧନ ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବର ଫରିଦକୋଟ ଏବଂ ଲୁଧିଆନା ସଭାକୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ଥିବାବେଳେ ଦଳ ସାଧାରଣ ସମ୍ପାଦକ ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା ବାରାଣସୀର ଏକ ରୋଡ ଶୋରେ ଭାଗ ନେଇଥିଲେ। ଏହାବ୍ୟତୀତ ଏସପି-ବିଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟ ପକ୍ଷରୁ ଉତ୍ତରପ୍ରଦେଶର ମାଉ ଓ ଦେଓରିଆ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ ଆସନ, ପଞ୍ଜାବର ସମସ୍ତ ୧୩ ଆସନ, ପଶ୍ଚିମବଙ୍ଗର ୯, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏ, ହିମାଚଳପ୍ରଦେଶର ସମସ୍ତ ୪ ଆସନ, ଝାଡଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଏକମାତ୍ର ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ୨୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ। ୧୯ ତାରିଖ ଶେଷ ପର୍ଯ୍ୟାୟ ମତଦାନ ଲାଗି ନିର୍ବାଚନ କମିଶନ ବୁଧବାର ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ କରିଥିଲେ।

Share