Advertisement

ଶେଷ ହେବାକୁ ଯାଉଛି କରୋନା !

ଲଣ୍ଡନ,୨୪।୫: କରୋନା ସଂକ୍ରମଣରେ ଏବେ ସାରା ବିଶ୍ୱର ଜୀବନଯାତ୍ରା ବଦଳି ଯାଇଛି। ଏବେ ସମସ୍ତଙ୍କ ନଜର କରୋନା ଭ୍ୟାକ୍ସିନ ଉପରେ। ଅନ୍ୟପଟେ କେବେ କରୋନା ବିଶ୍ୱରୁ ବିଦାୟ ନେବ ତାକୁ ନେଇ ଚାଲିଛି ଗବେଷଣା। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ କେତେଜଣ ବିଶେଷଜ୍ଞ କରୋନାର ବିଦାୟ ତାରିଖ ଘୋଷଣା କରିଥିବା କୁହାଯାଉଛି। ସିଙ୍ଗାପୁରର କେତେଜଣ ବିଶେଷଜ୍ଞ କହିଛନ୍ତି ସେପ୍ଟେମ୍ବର ୩୦ ପରେ ବ୍ରିଟେନରେ କରୋନା ଭାଇରସ ଆଉ ଦେଖାଯିବ ନାହିଁ। ସିଙ୍ଗାପୁର ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ଡିଜାଇନ ନିଜର କିଛି ମ୍ୟାଥମେଟିକାଲ ମଡେଲ ଜରିଆରେ ଏହି ତାରିଖ ବିଷୟରେ ଉଲ୍ଲେଖ କରିଛି। ଏଥିରେ କୁହାଯାଇଛି କି ଆସନ୍ତା ୪ ମାସ ମଧ୍ୟରେ ବ୍ରିଟେନରେ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ମେ’ ୭ରେ ବିଶେଷଜ୍ଞମାନେ ଏଭଳି ଆକଳନ କରିଥିବା ବେଳେ ସେତେବେଳକୁ ବ୍ରିଟେନରେ ପ୍ରାୟ ୩୦ ହଜାର ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇସାରିଥିଲା। ସେହିପରି ମେ’୮ରେ ଏହି ବିଶେଷଜ୍ଞମାନେ କହିଥିଲେ କି ଇଟାଲୀରେ ୨୪ ଅକ୍ଟୋବର ସୁଦ୍ଧା କରୋନା ଭାଇରସର ପରମାୟୁ ଶେଷ ହୋଇଯିବ। ସେହିପରି ଆମେରିକାରେ ନଭେମ୍ବର ୧୧ ଓ ସିଙ୍ଗାପୁରରେ ୨୭ ଅକ୍ଟୋବର ମଧ୍ୟରେ କରୋନା ଭାଇରସର ଏକ୍ସପାରୀ ଡେଟ୍‌ ହୋଇଯାଇଥିବ। ଏହି ଭବିଷ୍ୟବାଣୀ ପରେ ବି ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ଏତେ ହାଲୁକା ଭାବରେ ନ ନେଇ ବରଂ ସତର୍କ ଓ ସଚେତନ ରହିବା ଜରୁରୀ। ତେବେ ଜୁନ୍‌ ମାସରେ ବ୍ରିଟେନରେ କରୋନା ମୃତ୍ୟୁ ଆଉ ହେବ ନାହିଁ ବୋଲି ସେହି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଥିବା କୁହାଯାଏ। ଦ ସନ୍‌ର ଏକ ରିପୋର୍ଟ ଅନୁଯାୟୀ ସେଣ୍ଟର ଫର୍‌ ଏଭିଡେନ୍ସ ବେସଡ୍‌ ମେଡିସିନର ଜଣେ ପ୍ରଫେସର କହିଛନ୍ତି ସଂକ୍ରମଣ ଓ ମୃତ୍ୟୁ ହାର ଯଦି ଏହି ଅନୁପାତରେ ଲାଗି ରହେ ତେବେ ଜୁନ୍‌ ଶେଷ ବେଳକୁ ଆମକୁ କରୋନା ସଂକ୍ରମିତ ରୋଗୀ ମିଳିବା କଷ୍ଟକର ହୋଇପଡିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share